Advertisement

ଚାଷ କାର୍ଯ୍ୟ କରି ଚର୍ଚ୍ଚାରେ ଶକୁନ୍ତଳା

କେନ୍ଦୁଝର, ୧୪।୧୨ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ ବଣପାହାଡ ଘେରା ଗୋନାସିକା ପଞ୍ଚାୟତ ବୈତରଣୀ ଗ୍ରାମର ଶକୁନ୍ତଳା କଟେଇ (୪୦) ନାମ୍ନୀ ଜଣେ ଭୂୟାଁ ଆଦିବାସୀ ମହିଳା ନିଜେ ଚାଷ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି । ସେ ମଟର, ମକା, ମୂଳା, ବାଇଗଣ, ଝୁଡଙ୍ଗ, ବିଲାତି, କୋବି ଆଦି ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଆଗରୁ ତାଙ୍କ ସ୍ବାମୀଙ୍କ ସମେତ ଅଞ୍ଚଳର ଲୋକେ ବିଭିନ୍ନ ସ୍ଥାନକୁ ଦାଦନ ଖଟିିବାକୁ ଯାଉଥିଲେ। ଏହି ଦାଦନ ଖଟିଯିବାର ଦୁତ୍ଃଖଦ ଅନୁଭୂତି ଶକୁନ୍ତଳାଙ୍କୁ ଚାଷ କାର୍ଯ୍ୟ ପାଇଁ ପ୍ରରୋଚିତ କରିଥିବା କହିଛନ୍ତି।
ତାଙ୍କର ସ୍ବାମୀ ଓ ଦୁଇ ପୁଅଝିଅ ଅଛନ୍ତି। ପୁଅ ଏବେ ଆଦର୍ଶ ବିଦ୍ୟାଳୟରେ ଓ ଝିଅ କନ୍ୟାଶ୍ରମରେ ରହି ପାଠ ପଢୁଛନ୍ତି। ଏକଦା ତାଙ୍କ ସ୍ବାମୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ଶକୁନ୍ତଳା ସାହସ ବାନ୍ଧି ଜଙ୍ଗଲ ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ତାଙ୍କ ସ୍ବାମୀ ଦାଦନ ଖଯିବାକୁ ନ ଯାଇ ତାଙ୍କୁ ଚାଷରେ ସହାୟତା କରୁଛନ୍ତି। ସେ ଅମଳ କରୁଥିବା ପନିପରିବାକୁ ପ୍ରାୟ ୩୦ କି.ମି. ଦୂର କେନ୍ଦୁଝର ସହରକୁ ସକାଳେ ନେଇ ବିକ୍ରି କରିଥାନ୍ତି। ଚାଷ ଛଡା ସେ ଗୋରୁଗାଇ, ଛେଳି, କୁକୁଡା ଆଦି ପାଳନ କରୁଛନ୍ତି। ଶକୁନ୍ତଳା କହିଛନ୍ତି, ଜଙ୍ଗଲ ଜମି ଅଧିକାର ଆଇନରେ ସେ ଚାଷ କରୁଥିବା ଜମି ଲାଗି ପଟା ସକାଶେ ଆବେଦନ କରିବେ । ସଚେତନତା ଅଭାବ ଏବଂ ଉପଯୁକ୍ତ ପ୍ରୋତ୍ସାହନ ମିଳୁ ନ ଥିବାରୁ ଅଭାବରେ ଦିନ ବିତାଉଥିବା ଲୋକେ ଚାଷ କାର୍ଯ୍ୟ କରିପାରୁ ନାହାନ୍ତି। କୃଷି ବିଭାଗ ପ୍ରୋତ୍ସାହନ ଦେଲେ ଏହି ଅଞ୍ଚଳରେ ଚାଷର ବିକାଶ ହୋଇ ପାରନ୍ତା ବୋଲି ଶକୁନ୍ତଳାଙ୍କଠାରୁ ନିୟମିତ ପରିବା କିଣୁଥିବା ଅବସରପ୍ରାପ୍ତ ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share