ଚାଷ ଜମିରେ କୃଷକ ସ୍ଥାପନ କଲେ ‘ଗଜରାଜଙ୍କ ପ୍ରତିମା’

ମହାସମୁନ୍ଦ,୨୦।୯: ଛତିଶଗଡ଼ ମହାସମୁନ୍ଦ ଜିଲାର ଏକ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଫସଲକୁ ହାତୀ ପଲଙ୍କଠାରୁ ବଞ୍ଚାଇବା ପାଇଁ ଚାଷ ଜମିରେ ଗଜରାଜଙ୍କ ପ୍ରତିମା ସ୍ଥାପିତ ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ମହାସମୁନ୍ଦ ଜିଲାର କୁକରାଡିହ ଗାଁରେ ଲଗାତର କିଛି ଦିନରୁ ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହୋଇଛନ୍ତି ହାତୀପଲ। ଏମାନେ ଚାଷ ଜମିରୁ ଫସଲ ଖାଇବା ସହ ନଷ୍ଟ ମଧ୍ୟ କରିଦେଉଛନ୍ତି। ଖାଲି ସେତିକି ନୁହେଁ ଗାଁଲୋକେ ସାଇତି ରଖିଥିବା ଖାଦ୍ୟକୁ ଖାଇଦେଉଥିବା ବେଳେ ସେମାନଙ୍କ ଘରଦ୍ୱାର ଭାଙ୍ଗିରୁଜି ଦେଇଛନ୍ତି। ଏନେଇ କୃଷକମାନେ ବହୁ ହଇରାଣ ହରକତ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଫଳରେ ହାତୀପଲଠାରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରିବା ସହ ତାଙ୍କୁ ସ୍ମରଣ କରି ଚାଷ ଜମିରେ ଗଜରାଜଙ୍କ ପ୍ରତିମା ସ୍ଥାପିତ କରିଛନ୍ତି। ସେମାନଙ୍କ ବିଶ୍ୱାସ ରହିଛି ଯେ, ଏହି ଗଜରାଜ ତାଙ୍କୁ ଓ ଫସଲକୁ ହାତୀପଲଠାରୁ ରକ୍ଷା କରିବେ। ଅନ୍ୟପେଟ ଏହାକୁ ନେଇ ସ୍ଥାନୀୟ ବନବିଭାଗ କହିଛି ଯେ, ଗାଁ ଲୋକଙ୍କ ଏଭଳି ବିଶ୍ୱାସକୁ ଆମେ ସମ୍ମାନ କରୁଛୁ। ହେଲେ ହାତୀଙ୍କ ଯୋଗୁ ଯେପରି ଫସଲ ନଷ୍ଟ ନ ହୁଏ ତା’ପ୍ରତି ସଜାଗ ରହିଛୁ ବୋଲି ବନବିଭାଗ ଅଧିକାରୀ କହିଛନ୍ତି। ଗତ ସୋମବାର ଓ ମଙ୍ଗଳବାର ଭିତରେ ହାତୀପଲ ଉକ୍ତ ଗାଁ ଓ ଆଖପାଖ ଗାଁଗୁଡିକର ପ୍ରାୟ ୩୫ଏକର ଫସଲ ନଷ୍ଟ କରିଦେଇଥିବା ଜଣାପଡ଼ିଛି।

Share