ଚାଷ ପାଇଁ ଚାଷୀ ଚିନ୍ତିତ

ପୁରୁଣା ଭୁବନେଶ୍ୱର,୨୧ା୯(ଡି.ଏନ.ଏ.): ରାଜଧାନୀର ବିଭିନ୍ନ ମଠ ମନ୍ଦିର, ଆଦି ସରକାରୀ ଜାଗାକୁ ଜବରଦଖଲ କରିସାରିବା ପରେ ଏବେ ରାଜଧାନୀର ଉପକଣ୍ଠରେ ଜବରଦଖଲକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ଗ୍ରୀନ୍‌କୁ ୟଲୋ ଜୋନରେ ବିଡିଏରୁ ମିଛ ପ୍ରମାଣପତ୍ର ଦାଖଲ କରାଇ ଏସବୁ ଅଞ୍ଚଳରେ ୟଲୋ ଜୋନର ଯୋଜନାମାନ କରୁଛନ୍ତି। ଯାହାକୁ ନେଇ ଚାଷ ଉପରେ ନିର୍ଭର କରୁଥିବା ଶତାଧିକ ଚାଷୀ ଚିନ୍ତାରେ ପଡିଛନ୍ତି। ଚକନାଳୀ, କାଡାନାଳୀ, ନୈନଯୋରୀ, ଜୋର, ଅନାବାଦୀ, ସରକାରୀ ଜାଗା ଏବଂ ନାଳଗୁଡିକୁ ଜବରଦଖଲ କରି ଏଠାରେ ନିର୍ମାଣକାର୍ଯ୍ୟ କରିବା ଦ୍ୱାରା ଚାଷୀଙ୍କ ଦୁଃଖକୁ ଆହୁରି ଦୁଇଗୁଣିତ କରିଛି। ଏସବୁ କାର୍ଯ୍ୟରେ ରାଜ୍ୟରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ତହସିଲଦାର ଏବଂ ବିଡିଏର କେତେଜଣ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ବିଲ୍‌ଡରମାନେ ମୋଟା ଅଙ୍କର ଅର୍ଥ ଦେଇ ଜମି ହଡପ କରୁଛନ୍ତି। ୩୧୬ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଉତ୍ତର ଶାସନ, ପୂବାଶାସନ ଆଦି ମୌଜାରେ ଏହା ଦେଖିବାକୁ ମିଳୁଛି। ଗୁଡିଆପୋଖରୀ, ଛକଠାରେ ଥିବା ମାଟିଆପଡା-୨ ସର୍କଲ ଅଧୀନରେ ଥିବା ଚାଷଜମିରେ ଅନେକ ବିଲ୍‌ଡର ଚକନାଳୀକୁ ପୋତି ନିଜର କାର୍ଯ୍ୟ ହାସଲ କରିଥିବା ଦେଖିବାକୁ ମିଳୁଛି। ପ୍ରାୟ ୮ ଫୁଟର ଏକ ଚକନାଳୀକୁ ବିଲଡର ପାଚେରି କରି ନିଜେ ଚାଷୀଠାରୁ କିଣିଥିବା ଜମିରେ ମିଶାଇ ହରିଲୁଟ୍‌ କରିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଘୋର ବିରୋଧ କରାଯାଇଛି। ଯଦି ଏକ ଚକନାଳୀକୁ ଚାଷୀମାନଙ୍କ ଉଦ୍ଦେଶ୍ୟରେ ବିଭାଗୀୟ ଅଧିକାରୀମାନେ ତୁରନ୍ତ ଉନ୍ମୁକ୍ତ ନ କରିବେ ତାହା ହେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି। ସୂଚନାଥାଉ କି ଏହିସବୁ ମୌଜାରେ ରାଜଧାନୀର ଅନେକ ବିଲ୍‌ଡରମାନେ ନିଜର ପ୍ରୋଜେକ୍ଟ ପାଇଁ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନମାନ ନିର୍ମାଣ କରୁଛନ୍ତି। ହେଲେ କୌଣସି ବିଲଡର କିମ୍ବା ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଶୁଭଦୃଷ୍ଟି ଚାଷୀମାନଙ୍କ ଉପରେ ପଡୁ ନ ଥିବାରୁ ଆଗାମୀ ଦିନରେ ବିସ୍ତୀର୍ଣ୍ଣ ଚାଷଜମି ନିଶ୍ଚିହ୍ନ ହୋଇଯିବା ଏକ ପ୍ରକାର ଆଶଙ୍କା କରାଯାଇଛି। ଏ ସମ୍ପର୍କରେ ପିପିଲି ବିଡିଓ ତଥା ତହସିଲଦାର ଆଦିକନ୍ଦ ବେହେରାଙ୍କୁ ପଚାରିବାରୁ ଚାଷ ଜମି ଚକନାଳୀ ଜବରଦଖଲ ନେଇ କୌଣସି ଅଭିଯୋଗ ହୋଇନାହିଁ। ଚାଷୀମାନଙ୍କର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ତତ୍‌କାଳ ଚକନାଳୀ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ଘଟଣାର ଆର୍‌ଆଇମାନେ ପ୍ରଥମେ ଡ୍ରେନେଜ ଅବସ୍ଥା ଦେଖି ପରେ ଅନୁମତି ଦେବା କଥା। ସ୍ଥାନୀୟ ବାସିନ୍ଦା ଦୀନବନ୍ଧୁ ବେହେରା କୁହନ୍ତି, ମୌଜା ଭଳି ଆଖପାଖ ଆଞ୍ଚଳରେ ଚାଷୀ ତଥା ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଚକନାଳୀ ଏବଂ କାଡାନାଳୀର ବେଆଇନ ନିର୍ମାଣକୁ ବରଦାସ୍ତ କରାଯିବ ନାହିଁ।

Share