Categories: ବାଣିଜ୍ୟ

ଚାହିଦା, ଅଭିବୃଦ୍ଧି ଲାଗି ସରକାର ନେବେ ଅଧିକ ପଦକ୍ଷେପ

ନୂଆଦିଲ୍ଲୀ,୨୦ -୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। ଏହାକୁ ବଢାଇବା ଦିଗରେ ସରକାର ଅଧିକ ପଦକ୍ଷେପ ନେବେ। ଏ ନେଇ ଯୋଜନା ରହିଥିବା ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ ସୂଚନା ଦେଇଛନ୍ତି। ବ୍ୟାଙ୍କଗୁଡିକ ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ଅଧିକ ନଗଦ ଯୋଗାଣ ଏବଂ ବ୍ୟକ୍ତିଗତ ଟିକସ କ୍ଷେତ୍ରରେ ସରଳୀକରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ସୁବ୍ରମଣ୍ୟନ କହିଛନ୍ତି।
ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇ ସେ କହିଛନ୍ତି ଯେ, ନିବେଶ ଆକୃଷ୍ଟ କରିବା ଲାଗି ସରକାର କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ନିବେଶକୁ ସହାୟତା କରିବା ଲାଗି ଖାଉଟି ଚାହିଦା ବଢାଇବା ଲାଗି ବିଭିନ୍ନ ଦିଗ ଉପରେ ବିଚାର କରାଯାଉଛି। ସ୍ବଳ୍ପ ମିଆଦୀ ଭିତ୍ତିରେ ଚାହିଦା ବଢାଇବା ଲାଗି ଯୋଜନା ଗ୍ରହଣ କରାଯାଇଛି। ଏହି ଆଧାରରେ ଉଭୟ ଚାହିଦା ଏବଂ ନିବେଶ ବଢିବା ନେଇ ଆଶାବାଦୀ ରହିଥିବା ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଟିକସ ତଥା ସମ୍ପୂର୍ଣ୍ଣ ଟିକସ ପ୍ରଶାସନକୁ ସରଳୀକରଣ କରିବାକୁ ଧ୍ୟାନରେ ରଖାଯାଇଛି। ୬ ଦଶନ୍ଧି ପୁରୁଣା ବିଭିନ୍ନ ଟିକସ ଆଇନରେ ପରିବର୍ତ୍ତନ ଆଣିବା ଲାଗି ଟାସ୍କ ଫୋର୍ସ ଦେଇଥିବା ରିପୋର୍ଟକୁ ବିଚାର କରାଯାଉଥିବା ସେ ମତ ଦେଇଛନ୍ତି।
ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କର୍ପୋରେଟ ଟିକସକୁ ୩୦ରୁ ୨୫%କୁ କମାଇଛନ୍ତି। ନୂଆ ମାନୁଫାକଚରିଂ କମ୍ପାନୀଗୁଡିକ ଲାଗି ଏହା ୧୫% ରହିଛି। ଏଭଳି ପଦକ୍ଷେପ ସରକାର ନେଇଥିବା ବେଳେ ମଧ୍ୟବିତ୍ତ ଲୋକଙ୍କ ନିକଟକୁ କିଭଳି ଅଧିକ ନଗଦ ଅର୍ଥ ଆସିବ ସେ ଦିଗରେ ମଧ୍ୟ ବିଚାର କରାଯାଉଛି। ଫେବୃୟାରୀରେ ନୂଆ ବଜେଟ ଆସିବା ଆଗରୁ ଆୟକରରେ ଏକ ବଡ ଧରଣର ହ୍ରାସ ହୋଇପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଭିତ୍ତିଭୂମି ପ୍ୟାକେଜ, ନୂଆ ଋଣ କାର୍ଯ୍ୟକ୍ରମ ଦ୍ୱାରା ଘରୋଇ ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରାଯାଉଥିବା ଜଣାପଡ଼ିଛି।

Share