ଚାହିଦା ଥାଇ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର,୨ା୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ବଣପାହାଡରୁ ମିଳୁଥିବା ଖାଦ୍ୟଶସ୍ୟ ଫଳମୂଳ, ପନିପରିବା ଆଦିର ଚାହିଦା ସହରାଞ୍ଚଳରେ ଅଧିକ ରହିଛି । କିନ୍ତୁ ଉପଯୁକ୍ତ ସହାୟତା ଓ ବଜାରର ଅଭାବ ଯୋଗୁ ବନବାସୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ବିଶେଷ କରି ବେପାରୀମାନଙ୍କ ଦୌରାତ୍ମ୍ୟ ଯୋଗୁ ଅନେକ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ସମୟରେ ପାହାଡରୁ ଆସୁଥିବା ଖମ୍ବଆଳୁ, ଓଲୁଅ, ସାରୁ , ଅଦା, ହଳଦୀ ଆଦିର ଚାହିଦା ଅଧିକ ରହିଛି । ଏହି ସବୁର ଚାହିଦା ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ରହିଛି। ଏହା ଅଧିକ ଦିନ ସାଇତି ରଖାଯାଇ ଖାଇହେବ । ଏଣୁ ଏହାକୁ ବାହାରୁ ଆସୁଥିବା ପର୍ଯ୍ୟଟକ ଓ ବ୍ୟବସାୟୀମାନେ ବହୁ ମାତ୍ରାରେ କିଣି ନେଇଥାନ୍ତି । ଖମ୍ବଆଳୁ କିଲୋ ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ ା ଅନେକ ଖଣ୍ଡ ବା ଗୋଟା ୨୦/୩୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ହିସାବରେ ବିକିଥାନ୍ତି ା ସେହିପରି ଓଲୁଅ ଗୋଟା ହିସାବରେ ୨୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି ା ସାରୁ କିଲୋ ୨୫ରୁ ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି। ତେବେ ଅନେକ ସମୟରେ ଓଜନରେ ଓ କମ ଦରରେ ବେପାରୀମାନେ ଠକି ନେଇଯାଉଥିବାରୁ ସେମାନେ ଉଚିତ ମୂଲ୍ୟ ପାଇପାରୁନାହାନ୍ତି। ପ୍ରାକୃତିକ ପରିବେଶରେ ଏହି ଚାଷ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର ଏବଂ ସେସବୁରେ ଔଷଧୀୟ ଗୁଣ ରହିଥିବାରୁ ଏହାର ଚାହିଦା ଅଧିକ ରହୁଛି ା ସେହିପରି ପାହାଡରୁ ଆସୁଥିବା ସୋରିଷ, ରୁମା ମଞ୍ଜି (ଡାଲି), ମୁଗ, ବିରି, କାନ୍ଦୁଲ ଆଦି ମଧ୍ୟ ଏହି ସମୟରେ ବିକ୍ରି ହୋଇଥାଏ। ଏସବୁ ଭାଗ ୨୦ ଟଙ୍କାରେ ବିକିଥାନ୍ତି। ଏସବୁର ଚାହିଦା ମଧ୍ୟ ବହୁତ ଅଧିକ। ଗରିବ ବନବାସୀମାନେ ପରିଶ୍ରମ କରି ସେସବୁ ଚାଷ କରୁଥିଲେ ହେଁ ଉପଯୁକ୍ତ ପ୍ରୋତ୍ସାହନ ଓ ବଜାର ମିଳୁ ନ ଥିବାରୁ ସେମାନେ ଅଧିକ ଲାଭବାନ ହୋଇ ପାରୁନାହାନ୍ତି ଏବଂ ସେମାନଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥାରେ ବିକାଶ ହୋଇପାରୁନାହିଁ ବୋଲି ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି। ଏହା ଛଡା ପାହାଡି ପନିପରିବା, ଫଳମୂଳର ମଧ୍ୟ ଚାହିଦା ଅଧିକ ରହୁଥିଲେ ହେଁ ସେମାନଙ୍କ ପାଇଁ କେନ୍ଦୁଝର ସହରରେ ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ ା ଗାନ୍ଧୀଛକ ନିକଟରେ ଅବ୍ୟବହୃତ ହୋଇ ପଡିରହିଥିବା ପୌରପାଳିକା ମାର୍କେଟର ଉନ୍ନତୀକରଣ କରାଯାଇ ସେମାନଙ୍କ ପାଇଁ ବିକ୍ରିବଟାର ବ୍ୟବସ୍ଥା କରାଯାଇପାରିଲେ ବନବାସୀଙ୍କୁ ସୁବିଧା ହେବ ବୋଲି ମତ ପ୍ରକାଶ ପାଉଛି ା ବିଶେଷ କରି ବାଂଶପାଳ ବ୍ଲକ ଅଞ୍ଚଳରୁ ଆସୁଥିବା ବନବାସୀମାନେ ଏହାଦ୍ୱାରା ଅଧିକ ଉପକୃତ ହୋଇ ପାରିବେ ଏବଂ ଶୋଷଣରୁ ସୁରକ୍ଷା ପାଇପାରିବେ ବୋଲି ସ୍ଥାନୀୟ ବ୍ୟବସାୟୀ ଓ ସାମାଜିକ କର୍ମୀ ଅନିଲ ସୋନକାର କହିଛନ୍ତି।