ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜଣେ ମହାନ ଖେଲାଳି ଏଥିରେ ସନ୍ଦେହ ନାହିଁ। କେବଳ ଖେଳାଳି ଭାବେ ନୁହେଁ, ଜଣେ ବ୍ୟକ୍ତି ଭାବେ ମଧ୍ୟ ସେ ଅନେକ ମହାନତାର ପରିଚୟ ଦେଇଛନ୍ତି। କେତେବେଳେ ଭାରତୀୟ ସେନା ପାଇଁ କାର୍ଯ୍ୟ କରି ତ ଆଉ କେତେବେଳେ ଅନ୍ୟକୁ ସାହାଯ୍ୟ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଧୋନୀ କ୍ରିକେଟକୁ ଆସିବା ପୂର୍ବରୁ ରେଳ ବିଭାଗରେ ଟିଟି ଭାବେ କାର୍ଯ୍ୟ କରୁଥିଲେ। ଧୋନୀ ଖଡଗପୁରରେ ଟିଟି ଚାକିରି କରୁଥିବାବେଳେ ସେଠାରେ ‘ଥୋମାସ’ ନାମକ ଜଣେ ଚା’ ଦୋକାନୀ ସହ ତାଙ୍କର ପରିଚିତ ହୋଇଥିଲା। ଆଉ ଏହି ଚା’ ବିକାଳି ଜଣକ ତାଙ୍କୁ ଅନେକ ସାହାଯ୍ୟ ମଧ୍ୟ କରିଥିଲେ। ଧୋନୀ ତାଙ୍କ ଚା’କୁ ବହୁତ ପସନ୍ଦ କରୁଥିଲେ। କୋଲକତାରେ ବିଜୟ ହଜାରେ ଟ୍ରଫି ଖେଳୁଥିବା ସମୟରେ ସେ ନିଜର ଜଣେ ପୁରୁଣା ଚା’ ବିକାଳି ବନ୍ଧୁକୁ ରାତ୍ର ଭୋଜନକୁ ନେଇ ତାଙ୍କ ଋଣ ପରିଶୋଧ କରିଥିଲେ। ଝାଡଖଣ୍ଡ ଦଳର ନେତୃତ୍ୱ ନେଇ ଇଡେନ ଗାର୍ଡେନରେ ଧୋନୀ ଖେଳୁଥିବାବେଳେ ଥୋମାସ ତାଙ୍କୁ ଭେଟିବା ଲାଗି ଖଡଗପୁରରୁ ଯାଇ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଧୋନୀ ପଡିଆ ବାହରକୁ ଆସିବା କ୍ଷଣି ସେ ତାଙ୍କ ପାଖକୁ ଦୌଡିଯାଇ ଖୁସିରେ କୁଣ୍ଢାଇ ପକାଇଥିଲେ। ଧୋନି ମଧ୍ୟ ତାଙ୍କୁ ଚିହ୍ନି ପାରିଥିଲେ। ଧୋନୀ କେବଳ ଥୋମାସଙ୍କ ସହ କଥା ହୋଇ ନ ଥିଲେ ତାଙ୍କୁ ରାତ୍ର ଭୋଜନରେ ମଧ୍ୟ ସାମିଲ କରିଥିଲେ।