ଚିକିତ୍ସାଧୀନ ଅବସ୍ଥାରେ ନୀଳ ଇଗୁଆନା ଏଣ୍ଡୁଅ ମୃତ

ବାରଙ୍ଗ,୧୨ା୩(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଆମେରିକାନ ନୀଳ ଇଗୁଆନା ଏଣ୍ଡୁଅର ମଙ୍ଗଳବାର ମୃତ୍ୟୁ ଘଟିଛି। ତେବେ ବୁଧବାର ତା’ର ବ୍ୟବଚ୍ଛେଦ ପରେ ତା’ ପେଟରୁ ୫୫ଟି ଅଣ୍ଡା ବାହାରିଥିବା ଜଣାପଡ଼ିଛିା। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଏହି ଆମେରିକାନ ଏଣ୍ଡୁଅ ଏକାସଙ୍ଗେ ୫ଟି ଅଣ୍ଡା ଦେଇଥିଲା। କିନ୍ତୁ ସେଥିରୁ ଗୋଟିଏ ଅଣ୍ଡା ଭାଙ୍ଗିଯାଇଥିଲା। ଅଣ୍ଡାଦେବାକୁ କଷ୍ଟ ହେବାରୁ ତାକୁ ଏନକ୍ଲୋଜର ନଂ. ୪୪ଆଇରେ ଅନ୍ୟମାନଙ୍କଠାରୁ ଅଲଗା କରାଯାଇଥିଲା। ନନ୍ଦନକାନନର ଡାକ୍ତରମାନଙ୍କ ପରାମର୍ଶକ୍ରମେ ଉଷୁମ ଚିକିତ୍ସା କରାଯାଇ କର୍ମଚାରୀମାନେ ତା’ର ଯତ୍ନ ନେଇଥିଲେ। ହେଲେ ତା’ର ସ୍ବାସ୍ଥ୍ୟରେ ଉନ୍ନତି ପରିବର୍ତ୍ତେ ଅବନତି ହେବାକୁ ଲାଗିଥିଲା। ଧୀରେ ଧୀରେ ତା’ର ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ରୂପେ ବିଗିଡିଯିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାର ମୃତ୍ୟୁପରେ ନନ୍ଦନକାନନରେ ଇଗୁଆନା ଏଣ୍ଡୁଅ ସଂଖ୍ୟା ହ୍ରାସ ପାଇ ୪ରେ ପହଞ୍ଚତ୍ଛି। ସେଥିମଧ୍ୟରେ ନୀଳ ଇଗୁଆନା ୨ ଓ ନାଲି ଇଗୁଆନା ୨ ଅଛନ୍ତି। ସେହିଭଳି ତୃଣଭୋଜି ସଫାରିରେ ଥିବା ୫ବର୍ଷର ଏକ ମାଈ କୃଷ୍ନସାର ମୃଗ ବୁଧବାର ମୃତ୍ୟୁବରଣ କରିଛି। ସୁସ୍ଥ ଥାଇ ବିଚରଣ କରୁଥିବା ଏହିି ମୃଗଟି ହଠାତ ମୃତ୍ୟୁ ହୋଇଥିବାର ଜଣାପଡିଛି। ଅନ୍ୟପଟେ କପିଳାସ ଚିଡ଼ିଆଖାନାର ତିନିଜଣିଆ ଟିମ ବୁଧବାର ନନ୍ଦନକାନନକୁ ଆସି ନିଶା ଇଞ୍ଜେକ୍ସନ ନେଇ ଯାଇଥିବାର ଜଣାପଡିଛି। କପିଳାସରେ ଥିବା ହାତୀର ଚିକିତ୍ସା ପାଇଁ ନିଶ୍ଚେତକ ଆବଶ୍ୟକତା ଥିବାରୁ ଏହି ଟିମ ଆସି ନନ୍ଦନକାନନରୁ ଇଞ୍ଜେକ୍ସନ ନେଇଥିବାର ଜଣାପଡିଛି।

Share