ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଫୁଲବାଣୀ ଅଫିସ, ୨୦ା୩ – ଖଜୁରିପଡା ବ୍ଲକ ବିଲାବାଡି ପଞ୍ଚାୟତର କିଲୁ ଗ୍ରାମର ଭାରତ ମଲ୍ଲିକ (୯)। ପାଠ ପଢ଼ିବା ବୟସରେ ଦେହ ଖରାପ ଯୋଗୁ ମା’ ବାପା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି। ହେଲେ ସ୍ବାସ୍ଥାବସ୍ଥାରେ ଉନ୍ନତି ହେଉନାହିଁ। ପୁଅକୁ କିପରି ଭଲ କରିବେ ବାପା ଶରତ ଏବେ ଚିନ୍ତାରେ। ସରକାରୀ ସହାୟତା ମିଳିଲେ ପିଲାର ଚିକିତ୍ସା କରିପାରନ୍ତେ ବୋଲି କହିଛନ୍ତି।
ପ୍ରକାଶ ଯେ, ଆଜକୁ ୨ ବର୍ଷ ପୂର୍ବେ ଭରତ ଗ୍ରାମର ପିଲାମାନଙ୍କ ସହ ଖେଳୁଥିବାବେଳେ ପଡିଯାଇଥିଲେ। ତାଙ୍କ ଡାହାଣ କାନ୍ଧ ପାଖରେ ଆଘାତ ଲାଗିଥିଲା। ଘରେ ସେ ଏ ବିଷୟରେ କହି ନ ଥିଲେ। କାନ୍ଧରେ ଯନ୍ତ୍ରଣା ହେବାରୁ ପରେ ଘର ଲୋକେ ଜାଣିଥିଲେ। ଏହାପରେ ଘରୋଇ ଚିକିତ୍ସା କରିଥିଲେ। ସୁଫଳ ନ ମିଳିବାରୁ ପାଖ ମେଡିକାଲ ନେଇଥିଲେ। ଯନ୍ତ୍ରଣା କମିବାରୁ ଭରତ ସ୍ବାଭାବିକ ଭାବେ ଦୁଗୁଡା ପ୍ରାଥମିକ ବିଦ୍ୟାଳୟକୁ ପଢ଼ିବାକୁ ଯାଉଥିଲେ। ଧୀରେଧୀରେ ସେହି ସ୍ଥାନ ଫୁଲିବାକୁ ଲାଗିଲା। ଯନ୍ତ୍ରଣା ଅଧିକ ହେବାରୁ ବାପା ଶରତ ବୁର୍ଲା, ବ୍ରହ୍ମପୁର ମେଡିକାଲ ନେଇ ପୁଅକୁ ଦେଖାଇଥିଲେ। ସେଠାରେ ଭଲ ନ ହେବାରୁ କଟକ ବଡ ମେଡିକାଲ ନେଲେ। ସେଠାରେ ଅପରେଶନ ଏବଂ ପରୀକ୍ଷା ନୀରୀକ୍ଷା ପାଇଁ ଅଧିକ ଟଙ୍କା ଆବଶ୍ୟକ ବୋଲି କୁହାଗଲା। ଏ ମେଡିକାଲରୁ ସେ ମେଡିକାଲ ଦୌଡି ଦୌଡି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି ବାପା ଶରତ। ଅର୍ଥ ଅଭାବରୁ ଏବେ ଘରକୁ ଚାଲି ଆସିଛନ୍ତି। ସରକାରୀ ସହାୟତା ମିଳିଲେ ପୁଅ ଭଲ ହୋଇ ପାରନ୍ତା ବୋଲି ବାପା ଶରତ ଏବଂ ମା’ ଗୁରୁବାରୀ ଆଶାବାନ୍ଧି ବସିଛନ୍ତି। ଶରତ ଜଣେ ଦିନ ମଜୁରିଆ। କାମ କଲେ ତାଙ୍କ ଘର ଚଳେ। ସେପଟେ ଭାରତ ସ୍କୁଲ ନ ଯାଇ ପାରି ଘରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏ ନେଇ ରାଷ୍ଟ୍ରିୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମ୍ୟାନେଜର ଉପତ୍ଳ ପଟ୍ଟନାୟକଙ୍କୁ ପଚାରିବାରୁ ଆମର ଟିମ୍‌ ସବୁ ବ୍ଲକ ଏବଂ ସ୍କୁଲକୁ ଯାଉଛି। ପିଲା ବିଷୟରେ ଆମେ ଜାଣିପାରି ନାହୁଁ। ଖୁବ୍‌ଶୀଘ୍ର ତାଙ୍କୁ ଆଣି ଆମେ ଚିକିତ୍ସା ବ୍ୟବସ୍ଥା କରିବୁ ବୋଲି କହିଛନ୍ତି।

Share