ଚିକିତ୍ସା ଅବହେଳାରୁ ନର୍ସିଂହୋମରେ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

ନୟାଗଡ଼ ଅଫିସ,୧୦ା୮: ନୟାଗଡ଼ ଜିଲା ସଦର ମହକୁମାରେ ଥିବା ବିଭିନ୍ନ ନର୍ସିଂହୋମ୍‌ରେ ମାଲିକମାନଙ୍କ ରାଜୁତି ଦେଖିବାକୁ ମିଳୁଛି। ଦୁଇଦିନରେ ଦୁଇଟି ନର୍ସିଂହୋମରେ ଏଭଳି କିଛି ଘଟଣା ଏହାକୁ ସ୍ପଷ୍ଟ କରୁଛି। ଗୁରୁବାର ରାଜାବଗିଚା ନିକଟରେ ଥିବା ଏକ ନର୍ସିଂହୋମ୍‌ରେ ଏକ ଦମ୍ପତିଙ୍କୁ ଅଟକ ରଖାଯାଇଥିବା ବେଳେ ଶୁକ୍ରବାର ସିନ୍ଦୂରିଆ ନିକଟରେ ଥିବା ଏକ ନର୍ସିଂହୋମ୍‌ରେ ଚିକିତ୍ସା ଅବହେଳାରୁ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ହେଲେ ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ମିଳିଥିବା ସୂଚନା ଅନୁସାରେ, ରାଜାବଗିଚା ନିକଟରେ ଥିବା ନର୍ସିଂହୋମ୍‌ରେ ଜଣେ ଗର୍ଭବତୀ ମହିଳା ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ଟଙ୍କା ନ ଦେବାରୁ ଗୁରୁବାର ମହିଳାଙ୍କ ସହ ତାଙ୍କ ସ୍ବାମୀଙ୍କୁ ଅଟକ ରଖାଯାଇଥିଲା। ସେହିପରି ଶରଣକୁଳ ଥାନା ପଞ୍ଚରିଡ଼ା ଗ୍ରାମର ଜଣେ ମହିଳା ସିନ୍ଦୂରିଆ ନିକଟରେ ଥିବା ଏକ ନର୍ସିଂହୋମରେ ଦେଖାଉଥିଲେ। ଗୁରୁବାର ମହିଳାଙ୍କ ପ୍ରସବ ବେଦନା ହେବାରୁ ସନ୍ଧ୍ୟା ସମୟରେ ସେ ଉକ୍ତ ନର୍ସିଂହୋମ୍‌କୁ ଯାଇଥିଲେ। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇଥିଲା। ରାତ୍ର ୯ଟାରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ହେଲେ କିଛି ସମୟ ପରେ ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ଉକ୍ତ ନର୍ସିଂହୋମ୍‌ରେ ଉତ୍ତେଜନା ଦେଖାଦେଇଥିଲା। ପରେ ସକାଳେ ଶିଶୁଟିର ବାପା ଏ ନେଇ ଟାଉନ ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କୁ ପଚାରିବାରୁ ସେ ଥାନାରେ ଏଭଳି କିଛି ଅଭିଯୋଗ ହୋଇ ନ ଥିବା ପ୍ରକାଶ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ର କହନ୍ତି, ଏଭଳି ଘଟଣା ନେଇ ଅଭିଯୋଗ ହୋଇନାହିଁ, ଖବର ପାଇବା ପରେ ଉକ୍ତ ନର୍ସିଂହୋମ୍‌ରେ ଚଢ଼ାଉ କରାଯାଇ ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

Share