ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ସୋର, ୧୩ା୧୨(ଡି.ଏନ.ଏ.)-ସୋର ମ୍ୟୁନିସିପାଲିଟି ଅଧୀନ ଏକ ନର୍ସିଂହୋମ୍‌ରେ ପ୍ରସବ ପରେ ପ୍ରସୂତିଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ମୃତଦେହକୁ ଅଧାବାଟରୁ ଫେରାଇ ଆଣି ପ୍ରସୂତିଙ୍କ ସମ୍ପର୍କୀୟମାନେ ନର୍ସିଂହୋମ୍‌ ସାମ୍ନାରେ ରଖି ବିକ୍ଷୋଭ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା।
ନୀଳଗିରି ଥାନା ଅଧୀନ କାଣ୍ଡଗରଡି ପଞ୍ଚାୟତ ପିଞ୍ଛାବଣିଆ ଗ୍ରାମର ଗଣେଶ ଚନ୍ଦ୍ର ମଲ୍ଲିକଙ୍କ ସ୍ତ୍ରୀ ଶ୍ରୀନତି(୨୧) ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏହି ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଥିଲା। ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ପରେ ଗୁରୁତର ହୋଇପଡିଥିଲେ। ଏହାପରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ନ ଆସିବାରୁ ଜଣେ ନର୍ସ ପ୍ରସୂତିଙ୍କୁ ଏକ ଇଞ୍ଜେକଶନ ଦେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡିଥିଲା। ଏହାପରେ ନର୍ସିଂହୋମ ପକ୍ଷରୁ ପ୍ରସୂତିଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ବିନା ଚିକିତ୍ସା କାଗଜପତ୍ରରେ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପହଞ୍ଚିବା ପରେ ଡାକ୍ତର ଶ୍ରୀନତିଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀନତିଙ୍କ ସ୍ବାମୀ ଗଣେଶ ସେଠାରୁ ମୃତଦେହ ଆଣି ନର୍ସିଂହୋମ ସାମ୍ନାରେ ରଖି ଥାନାରେ ଅଭିଯୋଗ କରିଛନ୍ତି।