ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ସୋର, ୧୭ା୪(ଡି.ଏନ.ଏ.):-ସୋର ମ୍ୟୁନିସିପାଲିଟି ଅଧୀନ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସା ଅବହେଳାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏସ୍‌ଆଇ ସଚ୍ଚିଦାନନ୍ଦ ଗିରି ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରିବା ପରେ ମାମଲା (ନଂ.୧୨୭/୨୦) ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛନ୍ତି।
ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଥାନା ଅଧୀନ ଏକତାଡି ଗ୍ରାମର ମହେନ୍ଦ୍ର ନାଥ ହାଁସଦା ଓ ତାଙ୍କ ସ୍ତ୍ରୀ ସୁନୀତା ସୋର କୋର୍ଟରେ କିରାଣି ଭାବେ ଭାବେ କାର୍ଯ୍ୟରତ ଥିଲେ। ସେମାନେ ସ୍ଥାନୀୟ ଅନ୍ନପୂର୍ଣ୍ଣା ରାଇସ୍‌ ମିଲ୍‌ ପରିସରରେ ଭଡା ନେଇ ରହୁଥିଲେ। ବୁଧବାର ସୁନୀତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ନିକଟସ୍ଥ ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳେ ସୁନୀତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମଧ୍ୟାହ୍ନରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟି କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅବହେଳା ଯୋଗୁ ସୁନୀତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସ୍ବାମୀ ମହେନ୍ଦ୍ର ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତା ସୁନୀତାଙ୍କର ୬ ବର୍ଷର ପୁଅଟିଏ ଅଛି। ନବଜାତକ ପୁତ୍ରକୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସୋର କୋର୍ଟର ବହୁ ଆଇନ୍‌ଜୀବୀ ପହଞ୍ଚି ଶୋକପ୍ରକାଶ କରିଛନ୍ତି।