ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଖୁଣ୍ଟା,୧୮ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଗୁରୁବାର ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ମେଡିକାଲ ପରିସରରେ ହୋହଲ୍ଲା କରିଥିଲେ। ଖବରପାଇ ଖୁଣ୍ଟା ଥାନା ଆଇଆଇସି ନବକୃଷ୍ଣ ନାଏକ ଓ ଡୁକୁରା ବିଟ ଅଧିକାରୀ ନୌଉସଦ ଅଲ୍ଲୀ ଖାଁ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ମୃତକଙ୍କ ସ୍ତ୍ରୀ ବୁଧୁନି ସିଂ ଚିକିତ୍ସାରେ ଅବହେଳା କରିଥିବା ମେଡିକାଲର ୩ କର୍ମଚାରୀଙ୍କ ନାମରେ ଥାନାରୋ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ବାସିପିଠା ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗାଁ ଗ୍ରାମର ବଉଳା ସିଂଙ୍କ ଦେହ ଅସୁସ୍ଥ ହେବାରୁ ବୁଧବାର ସକାଳେ ଡୁକୁରା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ରାତି ପ୍ରାୟ ୨ ଟା ସମୟରେ ବାଉଳା ଛଟପଟ ହେବା ସହିତ ରକ୍ତବାନ୍ତି କରିଥିଲେ। ଏହା ଦେଖି ତାଙ୍କ ସ୍ତ୍ରୀ ରାତିି ଡିଉଟିରେ ଥିବା ଡାକ୍ତର, ନର୍ସ କିମ୍ବା ପିଅନଙ୍କୁ ଖୋଜି ଥିଲେ ମଧ୍ୟ କାହାରିକୁ ପାଇ ନ ଥିଲେ। ପରେ ବାଉଳାଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ସକାଳେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ରାତିି ଡିଉଟିରେ ଥିବା କର୍ମଚାରୀମାନେ ଡାକ୍ତରଖାନାରେ ନ ରହି ନିଜ ନିଜ କ୍ୱାର୍ଟରରେ ରହିଥିବା ଜାଣି ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନା ପରିସରରେ ହୋହଲ୍ଲା କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଦାସମାତ ମାର୍ଣ୍ଡି ମଧ୍ୟ ଡାକ୍ତରଖାନା ପରିସରରେ ନ ରହି ବାରିପଦାରେ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ. ୧୨୩/୧୯) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

Share