Categories: ମେଟ୍ରୋ

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଘଟଣା : କିମ୍ସ ହସ୍ପିଟାଲ କର୍ତ୍ତୃପକ୍ଷ ୨.୫ ଲକ୍ଷ ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଚିକିତ୍ସାରେ ଗୁରୁତର ଅବହେଳା ଯୋଗୁ କିମ୍ସ ହସ୍ପିଟାଲରେ ଜଣେ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ମୃତକଙ୍କ ବାପା ପୁରୀ ଜିଲା ପୁରୁଷୋତ୍ତମନଗର ଗ୍ରାମର ଶିବ ପ୍ରସାଦ ନନ୍ଦ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ବିଚାର କରି କମିଶନ କିମ୍ସ ହସ୍ପିଟାଲକୁ ଦୋଷୀ ସାବ୍ୟସ୍ତ କରିବା ସହ ଅଭିଯୋଗକାରୀଙ୍କୁ ୨.୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ମୁତାବକ, ଶିବପ୍ରସାଦଙ୍କ ସ୍ତ୍ରୀ ମଧୁସ୍ମିତା ୨୦୧୭ ଫେବୃୟାରୀ ୯ ଅପରାହ୍ଣ ୨ଟାରେ କିମ୍ସ ହସ୍ପିଟାଲରେ ଏକ ପୁତ୍ର ଜନ୍ମ ଦେଇଥିଲେ। ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଉକ୍ତ ଶିଶୁକୁ ତାଙ୍କ ମାତାପିତାଙ୍କୁ ଦେଖିବାର ସୁଯୋଗ ନ ଦେଇ ୭୨ ଘଣ୍ଟା ଆସିୟୁରେ ରଖିଥିଲେ। ପଚାରିବାରୁ ଶିଶୁଟିର ମୁଣ୍ଡରେ କ୍ଷତ ଥିବା କୁହାଯାଇଥିଲା। ଫେବୃୟାରୀ ୧୫ରେ ଶିଶୁଟିର ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଯାଇଥିବା ଓ ବକେୟା ବିଲ୍‌ ପୈଠ କରି ମୃତ ଶିଶୁକୁ ନେଇଯିବାରୁ ଫୋନ୍‌ରେ ହସ୍ପିଟାଲ ପକ୍ଷରୁ ଶିବପ୍ରସାଦଙ୍କୁ ଜଣାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ମୃତ ଶିଶୁକୁ ମାତାପିତାଙ୍କୁ ହସ୍ତାନ୍ତରବେଳେ ସମ୍ପୂର୍ଣ୍ଣ ଆବୃତ୍ତ କରି ରଖାଯାଇଥିଲା। ଶ୍ମଶାନରେ ଅନାବୃତ୍ତ କରିବା ସମୟରେ ମୁଣ୍ଡରେ ୪୦ରୁ ଅଧିକ ଷ୍ଟିଚ୍‌ ପଡ଼ିଥିବା ଦେଖାଯାଇଥିଲା। ଏଥିଯୋଗୁ ଶିଶୁଟି ଜନ୍ମ ହେବା ପରେ ଆଖିବୁଜିଥିବା ଓ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ୭ଦିନ ଧରି ଅଯଥାରେ ଆଇସିୟୁରେ ରଖି ଅର୍ଥ ଶୋଷଣ କରିଥିବା ଅଭିଯୋଗ ଆଣି ଶିବପ୍ରସାଦ ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ। ଡାକ୍ତର ଓ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଶିଶୁଟିର ମୃତ୍ୟୁ ଘଟିଥିବାରୁ କମିଶନ ଦୁଇ ମାସ ମଧ୍ୟରେ କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନଚେତ ଏହାର କାରଣ ବିଷୟରେ ଜଣାଇବାକୁ କମିଶନ କହିଛନ୍ତି।

Share