ଚିକିତ୍ସା ଅବହେଳାରୁ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

ରଣପୁର,୩୧।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁରରେ ଥିବା ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ ନିବାସରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସାରେ ଅବହେଳା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବାକୁ ନେଇ ଚିକିତ୍ସାଳୟରେ କିଛି ସମୟ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନାନୁଯାୟୀ, ଗଞ୍ଜାମ ଜିଲା ଷଣ୍ଢପୁର ଗ୍ରାମର ଭୀମ ସ୍ବାଇଁ(୫୬) ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଅଧିକ ଚିକିତ୍ସା ଲାଗି ସ୍ତ୍ରୀ ବିଜୁଳି ଉକ୍ତ ସ୍ବାସ୍ଥ୍ୟନିବାସକୁ ବୁଧବାର ସକାଳେ ଆସିଥସିଲେ। ସେଠାରେ ଡାକ୍ତରମାନେ ଭୀମଙ୍କ ଚିକିତ୍ସା କରି ନ ଥିଲେ। ଏପରିକି ଜଣେ ନର୍ସ ତାଙ୍କୁ ଏକ ଇଞ୍ଜେକ୍‌ସନ୍‌ ଦେଇଥିଲେ। ପରେ ଭୀମଙ୍କ ଅବସ୍ଥା ଗୁରୁତର ହେବାରୁ ବିଜୁଳି ଡାକ୍ତରଙ୍କୁ ଡାକିଥିଲେ ମଧ୍ୟ କେହି ଆସି ନ ଥିଲେ। କୌଣସି ଔଷଧ ମଧ୍ୟ ଦେଇ ନ ଥିଲେ। ଫଳରେ ଚିକିତ୍ସା ଅବହେଳାରୁ ଭୀମଙ୍କ ମୃତ୍ୟୁ ଘଟିଥିବା ବିଜୁଳି ଅଭିଯୋଗ କରିଛନ୍ତି। ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ଡାକ୍ତରଖାନା ପକ୍ଷରୁ ଦିଆଯାଇ ପ ଥିଲା। ଶେଷରେ ବିଜୁଳି ଗ୍ରାମକୁ ଖବର ପଠାଇବା ପରେ ପରିବାରଲୋକେ ଏକ ଅଟୋରେ ଆସି ମୃତଦେହକୁ ଗ୍ରାମକୁ ନେଇଥିବା ସେ କହିଛନ୍ତି। ଏବେ ସରକାରଙ୍କ ପକ୍ଷରୁ ‘୫-ଟି’ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ଘଟୁଥିବା ଚର୍ଚ୍ଚାର ବିଷୟ ପାଲଟିଛି।

Share