ଚିକିତ୍ସା ଅଭାବରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର ଲୋକେ

ବାରିପଦା ଅଫିସ,୧୪।୧୨: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳା ଯୋଗୁ ଜଣେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଜାମଦା ଅଞ୍ଚଳର ଜଣେ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ମହିଳା ଜଣକ ଏଚ୍‌ଆଇଭି ରୋଗୀ ବୋଲି ଜାଣିବା ପରେ ଅଧିକ ଚିକିତ୍ସା ପାଇଁ ସେଠାରୁ ବାରିପଦା ପିଆର୍‌ଏମ ମେଡିକାଲ କଲେଜକୁ ସ୍ଥାନାନ୍ତର କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ଏହା ପରେ ତାଙ୍କୁ ସେହିଦିନ ରାତିରେ ବାରିପଦା ଅଣାଯାଇଥିଲା। ହେଲେ ଏଠାରେ ଡାକ୍ତରମାନେ ଠିକ୍‌ ଭାବେ ଚିକିତ୍ସା କରି ନ ଥିବା ଅଭିଯୋଗ ହୋଇଥିଲା। ପରେ ଶକ୍ରବାର ସକାଳେ ଗର୍ଭସ୍ଥ ଶିଶୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ମାତ୍ର ଅପରେଶନ କରାଇ ଗର୍ଭସ୍ଥ ଶିଶୁକୁ ବାହାର କରି ନ ଥିଲେ। ପରେ ସ୍ଥାନୀୟ କିଛି ଲୋକଙ୍କ ହସ୍ତକ୍ଷେପ ପରେ ଶନିବାର ସକାଳେ ଅପରେଶନ ବ୍ୟବସ୍ଥା କରାଯାଇଥିଲା। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କିମ୍ବା ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଯେଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରିନାହିଁ।