ଚିକିତ୍ସା ଲାଗି ଆସି ରୋଗୀ ହଇରାଣ: ଲମ୍ବାଧାଡ଼ିରେ ଦୀର୍ଘସମୟ ଠିଆ ହୋଇ ନିରାଶ ହେଲେ ରୋଗୀ

ବାରିପଦା ଅଫିସ,୨୨ା୯- ମୟୂରଭଞ୍ଜ ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ବିଭିନ୍ନ ସମୟରେ ରୋଗୀଙ୍କ ଭିଡ ଜମୁଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି। ଶନିବାର ରୋଗୀଙ୍କ ରେଜିଷ୍ଟ୍ରଶନ ପାଇଁ ଉଦ୍ଦିଷ୍ଟ ଦୁଇଟି କାଉଣ୍ଟର ମଧ୍ୟରୁ ଗୋଟିଏ କାମ ନ କରିବାରୁ ରୋଗୀମାନେ ହଇରାଣ ହୋଇଥିଲେ। ଏ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ମେଡିକାଲ କଲେଜ ପ୍ରତିଷ୍ଠା ପରଠାରୁ କେବଳ ମୟୂରଭଞ୍ଜ ନୁହେଁ ଅନ୍ୟ ପଡୋଶୀ ଜିଲା ସମେତ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟ ଉପାନ୍ତ ଅଞ୍ଚଳର ରୋଗୀମାନେ ଏଠାକୁ ଚିକିତ୍ସା ଲାଗି ଆସୁଛନ୍ତି। ଏଣୁ ଦିନକୁ ଦିନ ଏଠାରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି। ବହିର୍ବିଭାଗ ରୋଗୀଙ୍କ ସୁବିଧା ଲାଗି ପ୍ରଶାସନ ପକ୍ଷରୁ ମହିଳା ଓ ପୁରୁଷଙ୍କ ସକାଶେ ଦୁଇଟି ନୂଆ ରେଜିଷ୍ଟ୍ରେଶନ କାଉଣ୍ଟର ଖୋଲାଯାଇଛି। ଏହା ସତ୍ତ୍ୱେ ସବୁବେଳେ ଏହି ଦୁଇ କାଉଣ୍ଟରରେ ଲମ୍ବା ଧାଡି ଲାଗି ରହୁଛି। ଦୀର୍ଘସମୟ ଧାଡିରେ ଅପେକ୍ଷା କରି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ହଇରାଣ ହେଉଛନ୍ତି। ଦୁଇଟି କାଉଣ୍ଟର ମଧ୍ୟରୁ ମହିଳାଙ୍କ ଲାଗି ଉଦ୍ଦିଷ୍ଟ କାଉଣ୍ଟର ଶନିବାର ସକାଳୁ ବନ୍ଦ ରହିବାରୁ ସବୁ ରୋଗୀ ଗୋଟିଏ କାଉଣ୍ଟରରେ ଭିଡ ଜମାଇଥିଲେ। ଅନେକ ଲୋକେ ରେଜିଷ୍ଟ୍ରେଶନ କରିବା ସତ୍ତ୍ୱେ ସମୟ ଅଭାବରୁ ଡାକ୍ତରଙ୍କୁ ଦେଖାଇ ନ ପାରି ନିରାଶ ହୋଇ ଫେରିଥିଲେ। ଏ ନେଇ ମେଡିକାଲ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଅନେକ ଲୋକ ଡାକ୍ତରଖାନା ସମସ୍ୟା ନେଇ ବିରକ୍ତି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ହସ୍ପିଟାଲ ମ୍ୟାନେଜର ଡା.ସମୀର ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ଗୋଟିଏ କାଉଣ୍ଟରର କମ୍ପ୍ୟୁଟର ଖରାପ ହୋଇପଡିବାରୁ ରୋଗୀଙ୍କ ରେଜିଷ୍ଟ୍ରଶନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହାକୁ ପରିଚାଳନା କରୁଥିବା ସଂସ୍ଥାକୁ ତୁରନ୍ତ ମରାମତି କରି ଲୋକଙ୍କୁ ସେବା ଦେବାକୁ କୁହାଯାଇଛି ବୋଲି ସେ କହିଥିଲେ।