ଚିକେନ୍‌ ବେଗମ୍‌ ବାହାର

ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ରୁଚିକୁ ଦୃଷ୍ଟିରେ ରଖିତ୍ ବିଭିନ୍ନ ହୋଟେଲ ଏବଂ ରେସ୍ତୋରାଁରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟତଃ ଗ୍ରାହକଙ୍କ ଚାହିଦାକୁ ଦେଖି ସି ବିଚ୍‌ ରୋଡରେ ଥିବା ଗୋଲ୍‌ଡେନ ଟ୍ରି ହୋଟେଲରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଏ। ଆମିଷ ଖାଦ୍ୟ ମଧ୍ୟରେ ଚିକେନ୍‌ ବେଗମ୍‌ ବାହାରର ଚାହିଦା ବେଶି। ଏହି ଇଣ୍ଡିଆନ ଡିଶ୍‌ର ଗୋଟିଏ ପ୍ଲେଟ୍‌ ଦାମ୍‌ ୩୨୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମୁଖ୍ୟ ସେଫ୍‌ ଦୋଳଗୋବିନ୍ଦ ବାରିକଙ୍କ ମୁହଁରୁ …

ଆବଶ୍ୟକ ସାମଗ୍ରୀ:

ଚିକେନ୍‌: ୪୦୦ ଗ୍ରାମ୍‌
ପିଆଜ ଚପ୍‌: ୩୦୦ ଗ୍ରାମ୍‌
ଅଦା ପେଷ୍ଟ: ୫୦ ଗ୍ରାମ୍‌
ରସୁଣ ପେଷ୍ଟ: ୫୦ ଗ୍ରାମ୍‌
କଟା ଟମାଟୋ: ୧୦୦ ଗ୍ରାମ୍‌
ଦହି: ୬୦ ଗ୍ରାମ୍‌
କଞ୍ଚାଲଙ୍କା: ୨ଟି
କାଜୁ ପେଷ୍ଟ: ୧୦୦ ଗ୍ରାମ୍‌
ଚାରମଗଜ ପେଷ୍ଟ: ୫୦ ଗ୍ରାମ୍‌
ତେଲ: ୨୦୦ ଗ୍ରାମ୍‌
ହଳଦୀ ଗୁଣ୍ଡ: ୫ ଗ୍ରାମ୍‌
ଧନିଆ ଗୁଣ୍ଡ: ୫ ଗ୍ରାମ୍‌
ଲଙ୍କାଗୁଣ୍ଡ: ୩ ଗ୍ରାମ୍‌
ଗୁଆଘିଅ: ୫ ଗ୍ରାମ୍‌
ଅମୂଲ କ୍ରିମ୍‌: ୧୦ ଗ୍ରାମ୍‌
ଗରମ ମସଲା: ୧୦ ଗ୍ରାମ୍‌
ଧନିଆପତ୍ର: ୫ ଗ୍ରାମ୍‌
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଦିଅନ୍ତୁ। କଡ଼େଇରେ ତେଲ ଗରମ କରି ଚିକେନ ପକାଇ ଛାଣନ୍ତୁ। ବ୍ରାଉନ ରଙ୍ଗ ହୋଇଯିବା ପରେ ଏକ ପାତ୍ରରେ ଚିକେନ୍‌କୁ ବାହାର କରି ରଖିବେ। ଏହାପରେ କଡ଼େଇରେ ଥିବା ତେଲରେ ପିଆଜ ପକାନ୍ତୁ। ପିଆଜ ସାମାନ୍ୟ ଲାଲ ହୋଇଗଲା ପରେ ସେଥିରେ ଅଦା ଓ ରସୁଣ ପେଷ୍ଟ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, କଟା ଟମାଟୋ, କାଜୁ ଚାରମଗଜ ପେଷ୍ଟ, ଦହି, ଏବଂ ଲୁଣ ପକାଇ ଭଲ ଭାବେ କଷନ୍ତୁ। ମସଲା ହୋଇଗଲା ପରେ ସେଥିରେ ପୂର୍ବରୁ ଛଣାଯାଇଥିବା ଚିକେନ୍‌ ପକାଇ ଭଲ ଭାବେ ଗୋଳାଇ ଘୋଡଣୀ ଦେଇଦିଅନ୍ତୁ। ମଝିରେ ମଝିରେ ଏହାକୁ ଗୋଳାନ୍ତୁ। ଚିକେନ ସିଝିଗଲା ପରେ ସେଥିରେ ଗରମ ମସଲା, କ୍ରିମ୍‌, ଗୁଆଘିଅ ଏବଂ ଧନିଆପତ୍ର ପକାଇଦେବେ। ଏବେ ପ୍ରସ୍ତୁତ ହୋଇଗଲା ଚିକେନ୍‌ ବେଗମ୍‌ ବାହାର। ଏହାକୁ ଏକ ପାତ୍ରରେ କାଢ଼ି ଏହା ଉପରେ କଞ୍ଚାଲଙ୍କା ଏବଂ ଧନିଆପତ୍ର ଦେଇ ସଜାଇ ଗରମ ଗରମ ନିଜେ ଖାଇ ଅନ୍ୟଙ୍କୁ ପରଷି ଦିଅନ୍ତୁ।