ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ ଶୁଣାଣି ବନ୍ଦ ନେଇ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ: ସୁର

ଭୁବନେଶ୍ୱର,୪।୩(ବ୍ୟୁରୋ): ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ ଶୁଣାଣି ବନ୍ଦ ନେଇ ନୋଟିସ ଜାରି କରାଯିବା ପରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି।

ସେ କହିଛନ୍ତି, ସରକାର ଆଶା ଓ ପ୍ରତିଶ୍ରୁତି ଦେଇ ଧୋକା ଦେଇଛନ୍ତି। ସରକାର ଧୋକାବାଜ୍‌। ୩ ଶହ କୋଟିର କର୍ପସ ଫଣ୍ଡ କୁଆଡ଼େ ଗଲା। କମିଶନ କୁଆଡ଼େ ଗଲା। ୩୦ ଲକ୍ଷ ଲୋକଙ୍କ ଦରଖାସ୍ତ କୁଆଡ଼େ ଗଲା ବୋଲି ସୁର ପ୍ରଶ୍ନ କରିଛନ୍ତି।

ପ୍ରକାଶ ଯେ, ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନମୋହନ ଦାସ କମିଶନ ଆଉ ଶୁଣାଣି କରିବ ନାହିଁ। କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୦ ଫେବୃୟାରୀ ୪ରେ ଶେଷ ହୋଇଛି। ଏପରିକି ଆଉଥରେ କାର୍ଯ୍ୟକାଳ ବୃଦ୍ଧି କରାଯାଇନାହିଁ। ଏଭଳି ସ୍ଥିତିରେ କମିଶନ ଆଉ ବସିବ ନାହିଁ ବୋଲି ମଙ୍ଗଳବାର ନୋଟିସ ଜାରି କରାଯାଇଛି। ଏଣୁ ୨୦୧୩ରୁ ଚିଟ୍‌ଫଣ୍ଡ କେଳେଙ୍କାରୀକୁ ନେଇ ଚାଲିଥିବା ବିଚାର ବିଭାଗୀୟ ତଦନ୍ତ ଓ କ୍ଷୁଦ୍ର ଜମାକାରୀ ଚିହ୍ନଟ ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇଥିବା କୁହାଯାଇଛି।

Share