Categories: ଜାତୀୟ

ଚିଟ୍‌ଫଣ୍ଡ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧ା୮: ଚିଟ୍‌ଫଣ୍ଡ (ସଂଶୋଧନ) ବିଲ୍‌, ୨୦୧୯ ପାର୍ଲାମେଣ୍ଟରେ ଆଗତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଏହି ବିଲ୍‌ ପାସ୍‌ ହେଲେ ଉକ୍ତ ସେକ୍ଟର ସରଳୀକୃତ ହେବା ସହ ପଞ୍ଜୀକୃତ ଚିଟ୍‌ଫଣ୍ଡ ଶିଳ୍ପ ଉପରେ ଥିବା ନିୟାମକ କିମ୍ବା ଅନୁପାଳନ ବୋଝ ହ୍ରାସ ପାଇବ। ଏହାବ୍ୟତୀତ ଚିଟ୍‌ଫଣ୍ଡ ସ୍କିମ୍‌ରେ ସ୍ବଚ୍ଛତା ସୁନିଶ୍ଚିତ କରିବା ପାଇଁ ବିଲ୍‌ରେ ବ୍ୟବସ୍ଥା ରହିବ। ନିକଟରେ ବେଆଇନ ଚିଟ୍‌ଫଣ୍ଡ ଜମା ନିଷିଦ୍ଧ କରିବା ଲାଗି ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା। ବୁଧବାର କ୍ୟାବିନେଟ ଅନୁମୋଦନ କରିଥିବା ବିଲ୍‌ ସମ୍ପୂର୍ଣ୍ଣ ଭିନ୍ନ ବୋଲି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଏହା ବିଭିନ୍ନ ଚିଟ୍‌ଫଣ୍ଡ ଯୋଜନାରେ ନିୟମାନୁଯାୟୀ ହେଉଥିବା ଜମା କ୍ଷେତ୍ରରେ ଲାଗୁ ହେବ ଏବଂ ନିୟମାବଳୀକୁ ସୁଦୃଢ଼ କରିବ ବୋଲି ମନ୍ତ୍ରୀ କହିଛନ୍ତି।

Share