ଚିଡ଼ିଚିଡ଼ାପଣ ଦୂର କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମାନସିକ ଚାପ ବଢ଼ିବାରେ ଲାଗିଛି। ମାନସିକ ଚାପରୁ ମୁକ୍ତି ପାଇଁ ଆକ୍ୱାରିୟମ୍‌ ଥେରାପି ଏକ ସହଜ ମାଧ୍ୟମ। ଘରେ ଆକ୍ୱାରିୟମ୍‌ ରଖି ବିଭିନ୍ନ ମାନସିକ ରୋଗର ଚିକିତ୍ସା କରାଯାଇପାରେ। ଏହା ସୁଫଳ ପ୍ରଦାନ କରିଥାଏ ବୋଲି ଇଂଲଣ୍ଡର ପ୍ଲେ ମାଉଥ୍‌ ବିଶ୍ୱବିଦ୍ୟାଳୟ ଏବଂ ଏକ୍ସଟର ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। ଘରର ଲାଇଟ୍‌ ଲିଭାଇ କିଛି ସମୟ ପାଇଁ ଆକ୍ୱାରିୟମ୍‌ ଆଗରେ ବସି ମାଛମାନଙ୍କ ହାବଭାବ ଲକ୍ଷ୍ୟ କରନ୍ତୁ। ଧୀରେଧୀରେ ମାନସିକ ଚାପ ହ୍ରାସ ପାଇବ। ସେହିପରି କର୍ମକ୍ଷେତ୍ରରୁ ଅବସର ନେଇଥିବା ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କ ଉପରେ ଏହି ଥେରାପି ଭଲ ପ୍ରଭାବ ପକାଇଥାଏ। ଅବସର ନେବା ପରେ ସେମାନଙ୍କର ଦୀର୍ଘଦିନର ରୁଟିନ୍‌ ବନ୍ଧା ଜୀବନରେ କିଛିଟା ପରିବର୍ତ୍ତନ ଆସିଥାଏ। ଏହାକୁ ସହଜରେ ସେମାନେ ଗ୍ରହଣ କରିପାର ନ ଥାନ୍ତି। ତେଣୁ ଚିଡ଼ିଚିଡ଼ାପଣ ସୃଷ୍ଟି ହୋଇଥାଏ। ମାତ୍ର ସେମାନଙ୍କ ପାଇଁ ଆକ୍ୱାରିୟମ୍‌ ଥେରାପି ମହୋଷଧୀ ଭଳି କାମ କରେ ବୋଲି ଗବେଷକ କହିଛନ୍ତି। ଏହା ମାଂସପେଶୀକୁ ଆରାମ ଦେବା ସହିତ ହୃଦ୍‌ସ୍ପନ୍ଦନକୁ ନିୟନ୍ତ୍ରିତ କରି ଶରୀରରେ ଠିକ୍‌ ଭାବେ ରକ୍ତ ସଞ୍ଚାଳନ କରିଥାଏ।