ଚିତ୍ରକୋଣ୍ଡାରେ ପ୍ରାକ୍‌ ପ୍ରସ୍ତୁତି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା,୨୦।୬: ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚ ଘାଟଠାରେ ଶନିବାର ମାଲକାନଗିରି ଜିଲା ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ ପ୍ରାକ୍‌ ପ୍ରସ୍ତୁତି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚିତ୍ରକୋଣ୍ଡା ବ୍ଲକ, ଥାନା ଓ ତହସିଲର ମିଳିତ ଆନୁକୂଲ୍ୟରେ ଏକ ଜନ ସଚେତନ କାର୍ଯ୍ୟକ୍ରମ କରାଯାଇଛି। ଚିତ୍ରକୋଣ୍ଡା ବିଡ଼ିଓ ଲରିମନ ଖରସେଲ, ତହସିଲଦାର ଟି. ପଦ୍ମନାଭ ଦୋରା, ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଏବଂ କୁଡ଼ୁମୁଲୁଗୁମା ଅଗ୍ନିଶମ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତରେ ବିଭିନ୍ନ ଗ୍ରାମ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ପ୍ରତିନିଧି ଓ କିଛି ଗ୍ରାମର ମୁଖିଆଙ୍କୁ ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ରକ୍ଷା କରିବା, ସତର୍କତା ଅବଲମ୍ବନ କରିବା ଓ ନିଜକୁ ସୁରକ୍ଷା ଦେବା ପାଇଁ ସାହସର ସହିତ ମୁକାବିଲା କରିବା ନିମନ୍ତେ ବିଭିନ୍ନ କୌଶଳ ଉପରେ ଶିକ୍ଷା ଦିଆଯାଇଥିଲା। ଯେପରିକି ଘର ପୋଡି, ନଦୀ ବଢ଼ି, ଗ୍ୟାସ ବ୍ୟବହାର ସମୟରେ ଦୁର୍ଘଟଣା ଆଦିରେ କିପରି ରକ୍ଷା ପାଇବା ସେନେଇ ସଚେତନ କରାଯାଇଥିଲା।