ଚିତ୍ରାଙ୍ଗପାଲି ପଞ୍ଚାୟତରେ ସରକାରୀ ଯୋଜନା ଅପହଞ୍ଚ

ମାଲକାନଗିର,୬।୧୨ (ଡି.ଏନ୍‌.ଏ)
ମାଲକାନଗିରି ଜିଲା ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କାଲିମେଳା ବ୍ଲକ ଚିତ୍ରାଙ୍ଗପାଲି ପଞ୍ଚାୟତର ସୁପାଲ ଗ୍ରାମ ଅବହେଳିତ ଅବସ୍ଥାରେ ରହିଛି। ଗ୍ରାମବାସୀ କୌଣସି ସରକାରୀ ଯୋଜନାରୁ ସୁଫଳ ପାଉନାହାନ୍ତି। ଏନେଇ ଗୁରୁବାର ସୁପାଲୁ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପାଲୁ ଗ୍ରାମରେ କୋୟା ସମ୍ପ୍ରଦାୟର ଅଧିବାସୀ ବସବାସ କରନ୍ତି। ଏବେ ମଧ୍ୟ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ଗ୍ରାମରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଜଗା ମାଡି, ମାଡି ଭିମେ ଓ ମାଡି ମୁକେଙ୍କୁ ଏଯାଏ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ସରପଞ୍ଚଙ୍କଠାରୁ ଆରମ୍ଭକରି ପିଇଓ ଓ ବ୍ଲକ କାର୍ଯ୍ୟାଳୟ ଦୌଡି ଦୌଡି ସେମାନେ ନୟାନ୍ତ ହେଲେଣି। ବାରମ୍ବାର ଏନେଇ ଜଣାଇଲେ ମଧ୍ୟ ପ୍ରଶାସନ କିମ୍ବା ପିଇଓ କିଛି ଶୁଣୁ ନ ଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ସେହିପରି କବାସୀ ଦେବେ ଜଣେ ମୂକ ଆଦିବାସୀ ଝିଅ ା ଏକବର୍ଷ ହେବ ତାଙ୍କର ଭିନ୍ନକ୍ଷମ ଭତ୍ତା ବନ୍ଦ କରାଯାଇଛି। ବ୍ଲକ ପ୍ରଶାସନ ଓ ପଞ୍ଚାୟତକୁ ଏନେଇ ସେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଅନ୍ୟପକ୍ଷରେ ବହୁ ଆଦିବାସୀ ଚାଷୀ କାଳିଆ ଯାଜନାର ଅର୍ଥ ପାଇ ନ ଥିବା ଅଭିଯୋଗ କରିଛନ୍ତି। ତେବେ ୫୦ କିଲୋମିଟର ଦୂରରୁ ବାରମ୍ବାର ଖର୍ଚ୍ଚାନ୍ତ ହୋଇ ପ୍ରଶାସନର ଦ୍ୱାରସ୍ଥ ହେବା କଷ୍ଟକର ହେଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମର ଉନ୍ନତି ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share