ଚିତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା

ଖଇରା, ୧୦।୫(ଡି.ଏନ.ଏ.)-ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି ା ବାଲେଶ୍ୱର ଜିଲା ଖଇରା ବ୍ଲକରେ ୩ଜଣ କୋଲକାତା ଫେରନ୍ତା ସଂକ୍ରମିତ ଏବେ ଚିକିତ୍ସାଧୀନ ଅଛନ୍ତି। ଏ ଦିଗରେ ସତର୍କ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞାପନ ମାଧ୍ୟମରେ ସଚେତନ କରାଯାଉଛି। ହେଲେ କେତେକ ଲୋକ ନିୟମକୁ ଊଲ୍ଲଂଘନ କରି ଚାଲିଛନ୍ତି। ସିମୁଳିଆ ନିର୍ବାଚନମଣ୍ଡଳୀ ସମେତ ସାରା ରାଜ୍ୟବାସୀଙ୍କୁ ନିଆରା ଢଙ୍ଗରେ ସଚେତନତା ବାର୍ତ୍ତା ଦେବା  ଆରମ୍ଭ କରିଛନ୍ତି ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ରବିବାର ମଧ୍ୟାହ୍ନରେ  ସେ ଧୋବାଗଡିଆ-ରାଣିତାଲ ରାସ୍ତାର ବାରାପୁର, ଧୋବାଗଡିଆ ଏବଂ କୁପାରୀ-ସୋର ରାସ୍ତାର କୁପାରୀ, ନହଙ୍ଗ, ଖଇରା ଥାନା ନିକଟରେ ରାସ୍ତା ଉପରେ ପେଣ୍ଟିଂ ମାଧ୍ୟମରେ ସଚେତନତା ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି ା କରୋନା ଭୂତାଣୁ ଚିତ୍ର ଆଙ୍କି ତା ଉପରେ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ସାମାଜିକ ଦୂରତା ନିୟମକୁ ମାନିବା ଭଳି ସଚେତନା ବାର୍ତ୍ତା ଲେଖୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।  ଏଥିରେ ଡୁଙ୍ଗୁରା ପଞ୍ଚାୟତ ସମିତିସଭ୍ୟ ପ୍ରକାଶ ଲେଙ୍କା, ଶଶାଙ୍କ ଶେଖର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।