Categories: ଖେଳ

ଚିନାପ୍ପା ମହିଳା, ଘୋଷାଲ ପୁରୁଷ ଚାମ୍ପିୟନ

ଚେନ୍ନାଇ,୧୫ା୨ (ପି.ଟି.): ଜ୍ୟୋତ୍ସ୍ନା ଚିନାପ୍ପା ଓ ସୌରଭ ଘୋଷାଲ ଯଥାକ୍ରମେ ଜାତୀୟ ସିନିୟର ସ୍କ୍ବାଶ୍‌ ଚାମ୍ପିୟନଶିପ୍‌ ମହିଳା ଓ ପୁରୁଷ ଟାଇଟଲ ହାସଲ କରିଛନ୍ତି। ସ୍ଥାନୀୟ ଆଇଏସଏ କୋର୍ଟଠାରେ ଅନୁଷ୍ଠିତ ୭୭ତମ ଜାତୀୟ ସିନିୟର ଚାମ୍ପିୟନଶିପ୍‌ରେ ଚିନାପ୍ପା ଓ ଘୋଷାଲ ଯଥାକ୍ରମେ ସେମାନଙ୍କର ୧୮ତମ ଏବଂ ୧୩ତମ ଟାଇଟଲ ବିଜୟୀ ହୋଇଛନ୍ତି। ଭାରତୀୟ ମହିଳା ସ୍କ୍ବାଶରେ ଚିନାପ୍ପା ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଖେଳାଳି। ଫାଇନାଲରେ ସେ ତନ୍‌ଭି ଖାନ୍ନାଙ୍କୁ ୮-୧୧, ୧୧-୬, ୧୧-୪, ୧୧-୭ରେ ହରାଇ ଦେଇଥିଲେ। ଗତବର୍ଷ ପୁଣେଠାରେ ଟାଇଟଲ ଜିତି ଭୁବନେଶ୍ୱରୀ କୁମାରଙ୍କ ରେକର୍ଡକୁ ଭଙ୍ଗ କରିଦେଇଥିଲେ। ଭୁବନେଶ୍ୱରୀ ୧୬ଥର ଜାତୀୟ ଚାମ୍ପିୟନ ହୋଇପାରିଥିଲେ। ଚିନାପ୍ପା ୨୦୦୦ରେ ପ୍ରଥମ ଜାତୀୟ ଟାଇଟଲ ହାସଲ କରିଥିଲେ। ଏହାପରଠାରୁ ସେ ମାତ୍ର ଦୁଇଟି ମ୍ୟାଚରେ ପରାଜିତ ହୋଇଛନ୍ତି, ତାହା ପୁଣି ଫାଇନାଲରେ। ସେହିପରି ପୁରୁଷ ବିଭାଗରେ ଘୋଷାଲ ତାଙ୍କ ପ୍ରାଧାନ୍ୟ ଅବ୍ୟାହତ ରଖିଛନ୍ତି। ଫାଇନାଲରେ ସେ ଯୁବ ଖେଳାଳି ଦ୍ୱିତୀୟ ସିଡ୍‌ ଅଭିଷେକ ପ୍ରଧାନଙ୍କୁ ୧୧-୬, ୧୧-୫, ୧୧-୬ରେ ହରାଇ ଦେଇଥିଲେ। ଟାଇଟଲ ମୁକାବିଲାରେ ଅଭିଜ୍ଞତାସମ୍ପନ୍ନ ନମ୍ବର ଓ୍ବାନ ଖେଳାଳି ଘୋଷାଲ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ କୌଣସି ସୁଯୋଗ ନ ଦେଇ ବିଜୟ ହାସଲ କରିଥିଲେ।

Share