ଚିନିକଳର ୮ କର୍ମଚାରୀଙ୍କ ବିରୋଧରେ ମାମଲା

ଆସିକା,୧୪।୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ସମବାୟ ଚିନିକଳରେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ୮ଜଣ କର୍ମଚାରୀଙ୍କ ବିରୋଧରେ ଶୁକ୍ରବାର ଆସିକା ଥାନାରେ ମାମଲା ରୁଜୁ ହୋଇଛି। ଚିନିଶିଳ୍ପର ସମ୍ପାଦକ ଆର୍‌. ଚନ୍ଦ୍ରଶେଖର ରେଡ୍ଡୀ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୁକ୍ରବାର ଆସିକା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ.୮୯/୨୦ରେ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
ଅପରପକ୍ଷେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଅଭିଯୁକ୍ତ କର୍ମଚାରୀଙ୍କ ବିଭିନ୍ନ କାଗଜପତ୍ର ଓ ସାର୍ଟିଫିକେଟ୍‌ ଯାଞ୍ଚ ଜାରି ରହିଛି। ଏ ସମ୍ପର୍କରେ ଚିନିଶିଳ୍ପ ସମ୍ପାଦକଙ୍କୁ ପଚାରିବାରୁ ସମ୍ପୃକ୍ତ ୮ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ ଇତିମଧ୍ୟରେ ଅବସର ଗ୍ରହଣ କରିଥିବାବେଳେ ଅନ୍ୟ ୭ଜଣଙ୍କୁ କାରକାନା ପକ୍ଷରୁ ଚାକିରୀରୁ ବରଖାସ୍ତ କରାଯାଇଛି ବୋଲି କହିଛନ୍ତି।
ସୂଚନା ଯୋଗ୍ୟ ଯେ, ଚିନିଶିଳ୍ପରେ ବହୁ କର୍ମଚାରୀ ଅବସର ବୟସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଜାଲ୍‌ ସାର୍ଟିଫିକେଟ୍‌ ଦାଖଲ କରି ଚାକିରୀ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଏପରିକି ଏହି ଘଟଣାର ତଦନ୍ତ ଭାର ରାଜ୍ୟ କ୍ରାଇମ୍‌ ବ୍ରାଞ୍ଚ ହାତକୁ ନେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ବିଧିବଦ୍ଧ ତଦନ୍ତ ପରେ ୮ଜଣ କର୍ମଚାରୀଙ୍କ ଜାଲ୍‌ ସାର୍ଟିଫିକେଟ୍‌ ରହିଥିବା ଜଣାପଡିବା ପରେ ଚିନିଶିଳ୍ପ ପକ୍ଷରୁ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଆସିକା ଥାନାରେ ଏତଲା ହୋଇଛି।

Share