Categories: ରାଜ୍ୟ

ଚିନିକଳ ଖୋଲିବା ପାଇଁ ତେଜିଲା ଆନ୍ଦୋଳନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ; ୨୪ରେ ନୟାଗଡ଼ ବନ୍ଦ ଡାକରା

ନୟାଗଡ଼ ଅଫିସ,୧୭।୭-ଚିନିକଳ ଖୋଲିବା ଓ ପୁନରୁଦ୍ଧାର ଦାବିରେ ମଙ୍ଗଳବାର ଆନ୍ଦୋଳନ ଜୋରଦାର ହୋଇଛି। ଗାଁ ଗାଁ ବୁଲି ଚାଷୀମାନଙ୍କୁ ସଚେତନ କରାଇବା ପରେ ଚିନିକଳ ପୁନରୁଦ୍ଧାର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କମିଟି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିନିକଳ ଖୋଲିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।
ଦର୍ଶାଯାଇଛି ଯେ, ନୟାଗଡ଼ ସମବାୟ ଚିନିକଳ ଜିଲାର ହଜାର ହଜାର ପାରମ୍ପରିକ ଆଖୁଚାଷୀଙ୍କର ଭାତହାଣ୍ଡି ସଦୃଶ୍ୟ। ଆନୁଷଙ୍ଗିକ ଭିତ୍ତିଭୂମି ଓ ଜନସାଧାରଣଙ୍କ ଆଗ୍ରହ ଯୋଗୁ ନୟାଗଡ଼ ବ୍ଲକ ପାଣିପୋଇଲା ଠାରେ ଚିନିକଳ ପ୍ରତିଷ୍ଠା ହୋଇଥିଲା। ଘରୋଇ ପରିଚାଳନା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏହା ହସ୍ତାନ୍ତର ହେବା ପରେ ପରିଚାଳନା କର୍ତ୍ତୃପକ୍ଷ ୨୦୧୪ ମସିହାରେ ଆଖୁଚାଷୀ ଓ କର୍ମଚାରୀଙ୍କ କୋଟି କୋଟି ଟଙ୍କା ବକେୟା ରଖି କାରଖାନାରେ ତାଲା ପକାଇ ଦେଇଛନ୍ତି। କାରଖାନା ଦୀର୍ଘ ୫ ବର୍ଷ ହେଲାଣି ବନ୍ଦ ହେବା ପରେ ଜିଲାରେ ଆଖୁଚାଷ ହ୍ରାସ ପାଇଛି। ଏଥିଯୋଗୁ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ମଧ୍ୟ ଦୋହଲି ଯାଇଛି। ବନ୍ଦ ହୋଇ ପଡ଼ିଥିବା ଯୋଗୁ କାରଖାନା ନଷ୍ଟ ହେବାରେ ଲାଗିଛି। ପରିଚାଳନା କମ୍ପାନୀଠାରୁ ଅନାଦେୟ ଋଣ ଆଦାୟ ନାମରେ ବ୍ୟାଙ୍କ୍‌ ଏହାର ଯନ୍ତ୍ରପାତି ଓ ଅସ୍ଥାବର ସମ୍ପତ୍ତି ନିଲାମ କରିବାର ମସୁଧା ମଧ୍ୟ ଚିନିକଳର ସ୍ଥିତି ସମ୍ପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଚିନିକଳର ସ୍ଥାୟିତ୍ୱ , ଏହାର ସୁରକ୍ଷା ସୁନିଶ୍ଚିତ କରିବା ସହିତ ଆଗାମୀ ଦିନରେ ଚିନିକଳ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଆସନ୍ତା ୨୪ ତାରିଖରେ କମିଟି ପକ୍ଷରୁ ନୟାଗଡ଼ ବନ୍ଦ ଡାକରା ଦିଆଯାଇଛି। ମଙ୍ଗଳବାର କମିଟିର ସଦସ୍ୟ ଓ ଚାଷୀମାନେ ପ୍ରଥମେ ଖଣ୍ଡପଡ଼ା ରୋଡଠାରେ ଏକତ୍ରିତ ହୋଇଥିଲେ। ଏହାପରେ ମଧ୍ୟାହ୍ନ ୧୨ଟାରେ ଶୋଭାଯାତ୍ରାରେ ଯାଇ ଚିନିକଳ ଖୋଲିବା ଦାବି କରି ପ୍ରଶାସନ ବିରୋଧରେ ନାରାବାଜି ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚତ୍ଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଶାସନ ବିରୋଧରେ ନାରାବାଜି ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲାପାଳ ଅନୁପସ୍ଥିତ ଥିବାରୁ ଅପରାହ୍ନ ୨ଟାରେ ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁଙ୍କୁ କମିଟିର ସଦସ୍ୟମାନେ ଦାବିପତ୍ର ପ୍ରଦାନ କରିଥିଲେ। ଆବାହକ ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ମନୋଜ କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, ଗୋଲକ ବିହାରୀ ମୁଦୁଲି, ଯୋଗେନ୍ଦ୍ର କୁମାର ଖୁଣ୍ଟିଆ, ରଣଜିତ ଦଳବେହେରା, ମହେଶ୍ୱର ଦାଶଙ୍କ ସମତେ ଶତାଧିକ ସଦସ୍ୟ ଓ ଚାଷୀମାନେ ଯୋଗ ଦେଇଥିଲେ।

Share