ଚିନ୍ତାରେ କାକଟପୁର ବ୍ଲକ ଅଞ୍ଚଳର ଚାଷୀ: କରୋନାକୁ ନେଇ ତରଭୂଜକୁ ମୁହଁ ମୋଡୁଛନ୍ତି ଲୋକେ, ବିଲରେ ସଢୁଛି କଖାରୁ; ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୧୫।୪(ଡି.ଏନ୍‌.ଏ.): ପୁରୀ ଜିଲାର କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଶହଶହ ଏକର ଜମିରେ ପନିପରିବା ଚାଷ ହେଉଛି। କାକଟପୁର ବ୍ଲକର କାକଟପୁର, ଅନନ୍ତପୁର, ନରଣପୁର, ଓଥକା, ସିଙ୍ଗାପଦା, ଗୋରଡି ତୋଟା, ଲତାହରଣ, ନାଶିକେଶ୍ୱର ଆଦି ଅଞ୍ଚଳରେ ହଜାର ହଜାର ଚାଷୀ ପନିପରିବା ଚାଷ କରି ଜୀବିକା ଅର୍ଜନ କରୁଛନ୍ତି। ଏହି ବ୍ଲକର କଖାରୁ ଚାଷୀ ଏବେ କରୋନା ପାଇଁ କଲବଲ ହେଉଛନ୍ତି। ବିଲରେ ଚାଷ କରିଥିବା କଖାରୁ ବିକ୍ରି କରି ନ ପାରି ମୁଣ୍ଡରେ ହାତ ଦେଇ ବସିଥିବା ଦେଖିବାକୁ ମିଳୁଛି। ଏହି ଅଞ୍ଚଳର ଚାଷୀମାନେ ଡିସେମ୍ବର ଓ ଜାନୁଆରୀମାସରେ କଖାରୁ ଚାଷ ଆରମ୍ଭ କରିଥିଲେ। ଏବେ କଖାରୁ ଅମଳ ସମୟ। ଅନେକ ଚାଷୀ ୧ଗୁଣ୍ଠରୁ ୧୩ ଗୁଣ୍ଠ ପର୍ଯ୍ୟନ୍ତ ଜମିରେ କଖାରୁ, ତରଭୁଜ ଚାଷ କରିଛନ୍ତି। କିଛି ଚାଷୀଙ୍କର ୨୫ରୁ ୫୦ କୁଇଣ୍ଟାଲ ପର୍ଯ୍ୟନ୍ତ କଖାରୁ ଅମଳ ହୋଇଥିବା ବେଳେ କରୋନା ଡରରେ ଗ୍ରାହକ ତରଭୁଜକୁ ମୁହଁ ମୋଡୁଥିବା ବେଳେ ତରଭୁଜ ବିଲରେ ସଢିବାକୁ ବସିଲାଣି। ଛୋଟ ଛୋଟ ଚାଷୀମାନେ ହାଟବଜାରରେ ଖୁଚୁରା ବେପାର କରି ବେଶ ଦୁଇ ପଇସା ରୋଜଗାର କରିବାକୁ ଆଶା ବାନ୍ଧିଥିଲେ। ତେବେ କରୋନା ପାଇଁ ସେମାନଙ୍କ ଆଶା ଆଶାରେ ରହିଯିବାକୁ ବସିଲାଣି। କେହି କେହି ଚାଷୀ ପାଚିଲା କଖାରୁ ଅମଳ କରି ଘରେ ରଖିଥିବା ବେଳେ ଆଉ କିଛି ଚାଷୀଙ୍କ କଖାରୁ ବିଲରେ ଗଡୁଛି। ଘରେ ଥିବା କଖାରୁ ପଚିବାକୁ ଆରମ୍ଭ କଲାଣି। ବିଲରେ ଗଡୁଥିବା ପାଚିଲା କଖାରୁକୁ ତୋଳିବା ପାଇଁ ଚାଷୀ ସାହାସ ଜୁଟାଇ ପାରୁନାହାନ୍ତି।

ପ୍ରକାଶ ଥାଉ, ମହାମାରୀ କରୋନା ନିୟନ୍ତ୍ରଣ ପାଇଁ ଲକଡାଉନ ଅବଧି ବୃଦ୍ଧି ପାଇଁ କ୍ୟାବିନେଟ ନେବା ସାମାଜିକ ଦୂରତା କଟକଣା ପାଇଁ ସମସ୍ତ ସାମାଜିକ ଓ ସଂସ୍କୃତି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବାରୁ କଖାରୁ ବିକ୍ରି ଗୁରୁତର ବାଧାପ୍ରାପ୍ତ ହୋଇଛି। ପନିପରିବା ସଂରକ୍ଷଣ ପାଇଁ ସ୍ଥାନୀୟ ଅଞ୍ଚଳରେ କୌଣସି ଶୀତଳ ଭଣ୍ଡାର ବ୍ୟବସ୍ଥା ନ ଥିବାରୁ ଚାଷୀଙ୍କ ପାଇଁ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହୋଇଛି। ଆଗାମୀ ଦିନରେ କାକଟପୁରରେ ଏକ ମିନି ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ ଚାଷୀ ସର୍ବଶ୍ରୀ ରମେଶ ଚନ୍ଦ୍ର ଦୀକ୍ଷିତ, ନରେନ୍ଦ୍ର ପାଇଟାଳ, ଜୟରାମ ଦାସ, ଗଙ୍ଗାଧର ରାଉତ ପ୍ରମୁଖ ସରକାର ତଥା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Share