ଚିନ୍ତାରେ ଡାକ୍ତର: ସୁସ୍ଥ ହେବା ପରେ ବି ପୁଣିଥରେ କରୋନାରେ ଆକ୍ରାନ୍ତ ହେଉଛନ୍ତି ଲୋକେ !

ରୋମ,୧୯।୩: ଚାଇନା ପରେ ଏବେ ଇଟାଲିରେ କରୋନା ସଂକ୍ରମଣରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୫୭୧୩। ସେହିପରି ଇଟାଲିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ପାର କରିଗଲାଣି। ଏହାକୁ ଦେଖି ଏବେ ଇଟାଲି ସରକାର ଚିନ୍ତାରେ ପଡିଯାଇଛନ୍ତି। କେବଳ ଏତିକି ନୁହେଁ ଏବେ ଇଟାଲିରେ ଦେଖାଯାଇଥିବା ଆଉ ଏକ ସମସ୍ୟା ସାରା ବିଶ୍ୱ ପାଇଁ ଚିନ୍ତା ବଢାଇବ ବୋଲି କୁହାଯାଉଛି। ଇଟାଲିରେ ଯେଉଁମାନେ କରୋନା ସଂକ୍ରମଣ ପରେ ସୁସ୍ଥ ହୋଇଯାଇଥିଲେ ସେମାନେ ପୁଣିଥରେ ସଂକ୍ରମିତ ହେଉଥିବା ଦେଖାଦେଇଛି। ଯାହା ସେଠାକାର ଡାକ୍ତରଙ୍କୁ ଚିନ୍ତାରେ ପକାଇ ଦେଇଛି। ଯଦି ଏପରି ରୋଗୀଙ୍କ ସଂଖ୍ୟା ବଢିଲା ତେବେ ଏହା ବିଶ୍ୱପାଇଁ ଆଉ ଏକ ଚିନ୍ତାର କାରଣ ହେବ ବୋଲି ଆଲୋଚନା ହେଉଛି। ଦି ସନ୍‌ର ରିପୋର୍ଟ ଅନୁଯାୟୀ, ଇଟାଲିର ଟ୍ୟୁରିନ ସହରରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି କରୋନାରେ ପୀଡ଼ିତ ହୋଇ ସୁସ୍ଥ ହେବା ପରେ ପୁଣିଥରେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ବ୍ୟକ୍ତି ଜଣକ ଆଇସୋଲେଶନରେ ରହିବା ସହ ଚିକିତ୍ସିତ ହେଉଥିଲେ। ଏହାପରେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଲା ଅର୍ଥାତ୍‌ ସେ ଠିକ୍‌ ହୋଇଯାଇଥିଲେ। ହେଲେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବାର ଗୋଟିଏ ଦିନ ପୂର୍ବରୁ ପୁଣି ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ଡାକ୍ତର ଏବେ ଚିନ୍ତାରେ ପଡିଯାଇଛନ୍ତି।

Share