ଚିନ୍ତା ବଢ଼ାଇଲା ଦିଲ୍ଲୀ

ନୂଆଦିଲ୍ଲୀ, ୨୪ା୬: ଭାରତରେ ମହାମାରୀ କରୋନାର ପ୍ରକୋପ ବଢ଼ି ବଢ଼ି ଚାଲିଥିବାବେଳେ ମହାରାଷ୍ଟ୍ର, ତାମିଲନାଡ଼ୁ ଓ ରାଜଧାନୀ ଦିଲ୍ଲୀ ପରିସ୍ଥିତିକୁ ବିଗାଡ଼ିବାରେ ଲାଗିଛନ୍ତି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୯୪୭ ନୂଆ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୬୬ ଜଣଙ୍କ ମଙ୍ଗଳବାର ଜୀବନ ଯାଇଛି। ଏଠାରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ୬୬,୬୦୨କୁ ବୃଦ୍ଧିପାଇଛି। ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨,୩୦୧କୁ ବଢ଼ିଛି। କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ କରୋନା ମୁକାବିଲା ଲାଗି ଘନ ଘନ ଆଲୋଚନା ଜାରି ରହିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୦ ହଜାର ଟପିଥିବା ବେଳେ ୧୪,୧୯୦ ଜଣଙ୍କ ଜୀବନ ଗଲାଣି। ପରିସ୍ଥିତି କ୍ରମଶଃ ଗମ୍ଭୀର ରୂପ ଧାରଣ କରିବାରେ ଲାଗିଥିବା କୁହାଯାଇଛି।
ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୬ ହଜାରରେ ପହଞ୍ଚି ଥିବାବେଳେ ୬,୨୮୩ ଜଣ ପ୍ରାଣ ହରାଇଲେଣି। ତାମିଲନାଡ଼ୁ ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ରାଜ୍ୟ ହୋଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪,୬୦୦ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨,୫୧୬ ନୂଆ ମାମଲା ଦେଖିବାକୁ ମିଳିଛି। ସେହିଭଳି ଗୁଜରାଟରେ ୨୮,୪୦୦, ଉତ୍ତର ପ୍ରଦେଶରେ ୨୮ ହଜାର ୫୦୦, ରାଜସ୍ଥାନରେ ୧୫, ୫୦୦, ପଶ୍ଚିମବଙ୍ଗରେ ୧୫ ହଜାର କରୋନା ରୋଗୀ ଥିବା ଜଣାପଡ଼ିଛି। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଭୟଙ୍କର ଭାବେ ବୃଦ୍ଧିପଶଇବା ମୁଣ୍ଡବିନ୍ଧା ବଢ଼ାଇଦେଇଛି। ବିଶେଷ କରି ପ୍ରବାସୀଙ୍କ ଆଗମନ ଓ ଲକ୍‌ଡାଉନ୍‌ ହଟିବା ପରେ ଉଗ୍ର ସଂକ୍ରମଣ ଦେଖିବାକୁ ମିଳିଛି।

Share