ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ: ରାଜ୍ୟରେ ୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ। ସୋମବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୩ କରୋନା ଆକ୍ରନ୍ତଙ୍କ ମଧ୍ୟରେ ୧୦ଜଣ ପଞ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଜଣ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ଫେରିଛନ୍ତି ଅଥବା ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ।
ଆଜି ଭଦ୍ରକରେ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତ ଏବଂ ଯାଜପୁରରେ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କୋଲକାତାର ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ଏହା ସହ ଆଗୁଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଆଶ୍ୱସ୍ତି ଆଣିଛି ବୋଲି ବାଗ୍‌ଚୀ କହିଛନ୍ତି। ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତ ବ୍ୟକ୍ତି ୨୮ ଦିନ କ୍ୱାରେଣ୍ଟାଇନରେ ରହିବେ। କୌଣସି ବ୍ୟକ୍ତି ସହଯୋଗ ନକଲେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।
ଏହାସହ ସଂକ୍ରମଣ ପ୍ରତିରୋଧ ଜୋନରେ ରହି ସରକାରଙ୍କୁ ସହଯୋଗ କରୁଥିବା ଜନତାଙ୍କୁ ସାଧୁବାଦ ଜଣାଇଛନ୍ତି। କଣ୍ଟେନମେଣ୍ଟରେ ରହୁଥିବା ସମସ୍ତ ଲୋକ ଜଣେ ଜଣେ କୋଭିଡ୍‌ ଯୋଦ୍ଧା। ତାଙ୍କ ସହଯୋଗ ପାଇ କରୋନା ସଂକ୍ରମଣକୁ କିଛି ମାତ୍ରାରେ ପ୍ରତିହତ କରିବାରେ ସରକାର ସଫଳ ହୋଇଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି।

Share