ଚିନ୍ତା ବଢ଼ାଇଲା ବିନା ଲକ୍ଷଣରେ ସଂକ୍ରମଣ

ଢେଙ୍କାନାଳ ଅଫିସ, ୧୧।୪
ଢେଙ୍କାନାଳ ସହରର ଜଣେ ମହିଳା କରୋନା ଆକ୍ରାନ୍ତ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ସହରରେ ସଂକ୍ରମଣ ପ୍ରତିରୋଧ କରିବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ଏକ ଭିଡିଓ କ୍ଲିପ୍‌ ମାଧ୍ୟମରେ ସୂଚନା ଦେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି, ଏଣିକି ଲକ୍‌ଡାଉନ କଟକଣାକୁ ଅଧିକ କଡ଼ାକଡ଼ି କରାଯିବ। ପଜିଟିଭ୍‌ ବାହାରିଥିବା ମହିଳାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ତଥାପି ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ଏଥିରୁ ଜଣାପଡୁଛି, ଏହି ରୋଗ ଯେ କୌଣସି ମୁହୂର୍ତ୍ତରେ ଜଣଙ୍କୁ ସଂକ୍ରମିତ କରିପାରେ।
ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଜିଲାପାଳ କହିଛନ୍ତି, ଆକ୍ରାନ୍ତ ମହିଳାଙ୍କ ବାସସ୍ଥାନ ସମେତ ସମସ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି। ସେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେ ନେଇ ଯାଞ୍ଚ ଚାଲିଛି। ବର୍ତ୍ତମାନ ସୁଦ୍ଧା ମହିଳା ଜଣକ ୨୦ଜଣଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ତନ୍ମଧ୍ୟରୁ ୧୪ଜଣଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଛି। ଅନ୍ୟ ୬ଜଣଙ୍କୁ ଶୁକ୍ରବାର କ୍ୱାରାଣ୍ଟାଇନ୍‌କୁ ନିଆଯାଇଛି। ସେମାନଙ୍କର ସ୍ବାବ ପରୀକ୍ଷା କରାଯିବ। ମିନାବଜାର ଅଞ୍ଚଳରେ ଲକ୍‌ଡାଉନ୍‌କୁ ଅଧିକ କଡ଼ାକଡ଼ି କରାଯିବ। ବିଭିନ୍ନ ୱାର୍ଡରେ ଥିବା ଅଙ୍ଗନୱାଡି ସେଣ୍ଟର ଅନୁଯାୟୀ ସମସ୍ତଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଙ୍ଗନୱାଡି, ଆଶା କର୍ମୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି। କାହାରି ନିକଟରେ ରୋଗର ଲକ୍ଷଣ ଥିଲେ ମେଡିକାଲ ଟିମ୍‌କୁ ପଠାଯିବ। ଆକ୍ରାନ୍ତ ଏବଂ ତାଙ୍କ ଆଖପାଖରେ ରହୁଥିବା ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ହୋମ୍‌ ଡେଲିଭରି କରାଯିବ। ଲୋକଙ୍କୁ ସଚେତନ କରିବାକୁ ସହରରେ ମାଇକ୍‌ ସହାୟତାରେ ପ୍ରଚାର କରାଯାଇଛି। ମସ୍‌ଜିଦର ମୌଲାନା ଅଞ୍ଚଳର ସମସ୍ତଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବା ଏବଂ ନାମ ପଞ୍ଜୀକରଣ କରିବା ପାଇଁ ଅନୁରୋଧ କରିଛନ୍ତି। ସାମାଜିକ ଦୂରତ୍ୱ ରଖିବା ସହ ନିୟମକୁ କଡ଼ାକଡ଼ି ଭାବେ ପାଳନ କଲେ ରୋଗର ମୁକାବିଲା କରିହେବ ବୋଲି ଜିଲାପାଳ କହିଛନ୍ତି।

Share