ଚିନ୍ତା ବଢ଼ାଇଲା ମାଲେସିଆ ଜାହାଜ କଣ୍ଟେନରରେ ୫ଫୁଟର ଫାଟ, ପଶିଲା ପାଣି

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୧୯।୮(ଡି.ଏନ୍‌.ଏ.) : ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ମୁହଁାଣର ରାଜହଂସ ଓ ଖିରିସାହି ଗଁା ନିକଟ ବଙ୍ଗୋପସାଗର ଉପକୂଳରେ ଲାଗିଥିବା ମାଲେସିଆ ଜାହାଜ ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି। ୧୨ ଦିନ ଧରି ଜାହାଜଟି ସେଠାରେ ରହିଛି। ବର୍ତ୍ତମାନ ସମୁଦ୍ର ଅଶାନ୍ତ ଓ ଉଚ୍ଚ ଲହଡି ମାଡ଼ ଯୋଗୁ ଜାହାଜଟି ଢଳିବାରେ ଲାଗିଛି। କଣ୍ଟେନରରେ ୫ ଫୁଟର ଫାଟ ସୃଷ୍ଟି ହୋଇଥିବା ଯୋଗୁ ଏହି ଫାଟ ଦେଇ ସମୁଦ୍ରର ଜୁଆର ପାଣି ପଶୁଛି। ଏହି ଜାହାଜ ଭିତରେ ୩୦ ହଜାର ଲିଟର ପେଟ୍ରୋଲ, ୧ ହଜାର ଲିଟର ଲ୍ୟୁବ୍‌ଅଏଲ ଓ ୨ଶହ ଲିଟର ହାଇଡ୍ରୋଲିକ୍‌ ଅଏଲ ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜାହାଜଟି ଯଦି ଆଉ ଅଧିକ ଢଳେ ତେବେ ଏହି ଅଏଲ ଲିକ୍‌ ହେବ ଯାହାଫଳରେ ଚିଲିକାର ଜୈବ ବିବିଧତା ଉପରେ ପ୍ରଭାବ ପଡ଼ିବ। ତୁରନ୍ତ ଏହି ଜାହାଜଟିକୁ ଉପକୂଳରୁ ହଟାଇବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀ ଦାବି କରିଛନ୍ତି। ପୂର୍ବରୁ ଜାହାଜରୁ ତେଲ ଲିକ୍‌ ହେବା ଆଶଙ୍କା କରି ଭାରତୀୟ ତଟରକ୍ଷୀ ବାହିନୀ ମାଲେସିଆର ‘ଟଗ୍‌ ଜିନ୍‌ ହ୍‌ଓ୍ବା’ କମ୍ପାନୀକୁ ଚିଠି ଲେଖି ଅବଗତ କରିଥିଲା। ଜାହାଜରୁ ଯେପରି ତେଲ ଲିକ୍‌ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଚିଠିରେ ଅବଗତ କରାଯାଇଥିଲା।
ତେବେ ଏହି ଜାହାଜଟିକୁ ଦେଖିବାକୁ ଦିନକୁ ଦିନ ସ୍ଥାନୀୟ ଲୋକଙ୍କ ଭିଡ଼ ବଢୁଛି। ଫଳରେ ଡଙ୍ଗା ଚାଳକଙ୍କଠାରୁ ଆରମ୍ଭ କରି କିଛି ଉଠା ବ୍ୟବସାୟୀଙ୍କ ବେପାର ଜମୁଛି। ଡଙ୍ଗା ଚାଳକମାନେ ଜାହାଜ ଦେଖିବାକୁ ଯାଉଥିବା ଲୋକମାନଙ୍କୁ ଡଙ୍ଗାରେ ପାରି କରିଦେବା ପାଇଁ ଶହେ ଟଙ୍କା ଲେଖାଏଁ ଭଡ଼ା ନେଉଥିବା ବେଳେ କେତେକ ଉଠାଦୋକାନୀ ସେଠାରେ ନିଜର ପସରା ମେଲି ଦେଇଛନ୍ତି।