ଲକ୍ଷ୍ମୌ,୨୫।୯: ଆଇନ ଛାତ୍ରୀ ଯୌନ ନିର୍ଯାତନା ମାମଲାରେ ଜେଲ୍ ଯାଇଥିବା ଚିନ୍ମୟାନନ୍ଦ ଆଉ ଭାଜପାର ସଦସ୍ୟ ନାହାନ୍ତି। ବୁଧବାର ଏନେଇ ଉତ୍ତରପ୍ରଦେଶ ଭାଜପାର ମୁଖପାତ୍ର ସ୍ପଷ୍ଟ କରିଛନ୍ତି। ମାସକ ପୂର୍ବରୁ ଚିନ୍ମୟାନନ୍ଦଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିବା ବେଳେ ଭାଜପା ପକ୍ଷରୁ ଏବେ ପ୍ରଥମ ପ୍ରତିକ୍ରିୟା ଆସିଛି। ଉତ୍ତର ପ୍ରଦେଶର ଭାଜପା ମୁଖପାତ୍ର ହରିଶ ଶ୍ରୀବାସ୍ତବ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ତେବେ କେବେଠାରୁ ସେ ଦଳର ସଦସ୍ୟ ନାହାନ୍ତି ବୋଲି ଖବରଦାତା ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନକୁ ଏଡାଇ ଯାଇ ହରିଶ କହିଛନ୍ତି, ଏହା ଦସ୍ତାବିଜ ନୁହେଁ ଯେ, ତାରିଖ ଓ ଦିନ କହିବୁ। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଚିନ୍ମୟାନନ୍ଦଙ୍କୁ ପୋଲିସ ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଓ ବ୍ଲାକମେଲିଂ ଅଭିଯୋଗରେ ଗିରଫ କରିଛି। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସଆଇଟି ଏବେ ମାମଲାର ତଦନ୍ତ କରୁଛି।