ଚିପିଲିମା ଘଣ୍ଟେଶ୍ୱରୀ ସ୍ବାଗତ ଫାଟକରୁ ପଥର ପ୍ଲେଟ୍‌ ଖସୁଛି

ଚିପିଲିମା, ୨୭।୫ (ଡି.ଏନ.ଏ):ସମ୍ବଲପୁର ଜିଲା ଚିପିଲିମାସ୍ଥିତ ମୁଖ୍ୟ ଛକରେ ଥିବା ଘଣ୍ଟେଶ୍ୱରୀଙ୍କ ପୀଠର ସ୍ବାଗତ ଫାଟକ ଅସୁରକ୍ଷିତ। ହେଲେ ଏହି ଫାଟକରୁ କିଛି ଦିନ ହେଲା ନିୟମିତ ପ୍ଲେଟ ଖସୁଛି। ଏଣୁ ଏହି ରାସ୍ତାରେ ଯାଉଥିବା ପର୍ଯ୍ୟଟକ ତଥା ଜନସାଧାରଣ ଭୟଭୀତ ହୋଇ ପଡୁଛନ୍ତି। ଲୋକଙ୍କ ମୁଣ୍ଡ ଉପରେ ବିପଦ ଝୁଲି ରହିଛି। ଏଣୁ କୌଣସି ଅଘଟଣ ଘଣିବା ପୂର୍ବରୁ ଏହି ରାସ୍ତାକୁ ବିପଦ ଶଙ୍କୁଳ ଘୋଷଣା କରାଯିବା ଆବଶ୍ୟକ। ଏହି ରାସ୍ତାକୁ ବନ୍ଦ କରି ବାଇପାସ ରାସ୍ତାରେ ଲୋକେ ଯିବା ଆସିବା ପାଇଁ ସୂଚନା ଫଳକ ଦେବା ଉଚିତ୍‌। ଏଥିସହ ଏହି ତୋରଣର ମରାମତି କାର୍ଯ୍ୟ କରିବା ଆବଶ୍ୟକ। ସୂଚନାଯୋଗ୍ୟ ଯେ, ୨୦୧୮-୧୯ ଆର୍ଥିକ ବର୍ଷରେ ଏମ୍‌ସିଏଲ୍‌ ପେରିଫେରି ପାଣ୍ଠି ଓ ତତ୍କାଳୀନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅନୁଦାନରେ ଏହି ଫାଟକଟି ନିର୍ମାଣ ହୋଇଥିଲା । ହେଲେ ନିମ୍ନମାନର କାମ ଯୋଗ ପଥର ଖସୁଥିବା ଅଭିଯୋଗ ହେଉଛି । ଏହି ଫାଟକର ଗୋଟିଏ ପାର୍ଶ୍ୱରୁ ବର୍ତ୍ତମାନ ସୁଦ୍ଧା ୧୧ଖଣ୍ଡ ପଥର ପ୍ଲେଟ ଖସିଥିବା ବେଳେ ଅପର ପାର୍ଶ୍ୱରୁ ୭ଖଣ୍ଡ ପଥର ପ୍ଲେଟ ଖସିଲାଣି ।