ଚିରଞ୍ଜୀବଙ୍କ ପାଇଁ ପ୍ରଚାରରେ ଗୁଲାମ ନବୀ ଆଜାଦ

ନାଉଗାଁ,୨୭ା୪(ସ୍ବ.ପ୍ର.): ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ପ୍ରଚାର ସେତେ ଜୋର୍‌ଦାର ହେବାରେ ଲାଗିଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ରାଜ୍ୟ ଓ ଜାତୀୟସ୍ତରର ହେଭିଓ୍ବେଟ୍‌ ନେତାଙ୍କୁ ଆଣି ପ୍ରଚାର କରୁଛନ୍ତି। ଏହି କ୍ରମରେ ଜଗତ୍‌ସିଂହପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କ ପାଇଁ ଶୁକ୍ରବାର ରାଜ୍ୟ ସଭାର ବିରୋଧୀ ଦଳ ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ରୋଡ୍‌ ଶୋ ମାଧ୍ୟମରେ ପ୍ରଚାର କରିଛନ୍ତି। ପୂର୍ବାହ୍ନ ୧୧.୩୦ରେ ସେ ସ୍ଥାନୀୟ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପଡିଆରେ ହେଲିକପ୍ଟରରୁ ଅବତରଣ କରି ରୋଡ୍‌ ଶୋ’ରେ ଯିବାର ଥିଲା। କିନ୍ତୁ କୌଣସି କାରଣରୁ ବିଳମ୍ବ ହୋଇଥିଲା। ପରେ ହେଲିକପ୍ଟରରେ ନ ଆସି ୧ ଘଣ୍ଟା ବିଳମ୍ବରେ ସଡ଼କ ପଥରେ
ଆସି ମୁଣ୍ଡାଳୋ ବଜାରଠାରେ ପହଞ୍ଚତ୍ଥିଲେ। ସେଠାରେ ତାଙ୍କୁ
ସ୍ବାଗତ କରାଯାଇଥିଲା। ତାଙ୍କ ସହିତ ପୂର୍ବତନ ବିଧାୟକ
ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ, ବିଧାୟକ ପ୍ରାର୍ଥୀ ବିଶ୍ୱାଳ, ଏମପି ପ୍ରାର୍ଥୀ ପ୍ରତିମା ମଲ୍ଲିକ, ରାଜ୍ୟ ସଭା ସଦସ୍ୟ ରଞ୍ଜୀବ ବିଶ୍ୱାଳଙ୍କ ସମେତ ଶତାଧିକ କର୍ମୀ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଅବସରରେ ସେ ବିଧାୟକ ପ୍ରାର୍ଥୀ ବିଶ୍ୱାଳ ଓ ଏମ୍‌ପି ପ୍ରାର୍ଥୀ ମଲ୍ଲିକଙ୍କୁ ହାତ ଚିହ୍ନରେ ଭୋଟ୍‌ ଦେଇ ଜିତାଇବାକୁ ଭୋଟରଙ୍କୁ ନିବେଦନ କରିଥିଲେ। ମୁଣ୍ଡାଳୋ, ପାଳସାହି, ଘୋଡାଂଶ, ବ୍ଲକ ଛକ, ନାଉଗଁା ବଜାରରେ ସେ ଶୋଭାଯାତ୍ରା କରିଥିଲେ। ବଜାରଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ କୋକିଡିହ, ବାଂଶ, ତେଣ୍ଟୋଇ, ଗଙ୍ଗଦାହାଟ, କୋରୁଅ ଦେଇ ଗାରୋଇ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ।