ସୋନପୁର,୧୫।୩(ନି.ପ୍ର.) ସୁବର୍ଣ୍ଣପୁରର ନିମୁହିଁ ମନ୍ଦିର ଏକ ବିସ୍ମୟ। ମନ୍ଦିରର ଉଚ୍ଚତା ପ୍ରାୟ ୨୫ ଫୁଟ । ଲମ୍ବ ୧୨ ଫୁଟକୁ ପ୍ରସ୍ଥ ପ୍ରାୟ ୧୨ ଫୁଟ୍ । ସୂକ୍ଷ୍ମ କାରୁକାର୍ଯ୍ୟର ନମୁନା ସ୍ବରୂପ ମନ୍ଦିର ଗାତ୍ରରେ ରହିଛି ନର୍ତ୍ତକୀ, ମେଣ୍ଢା ଓ ସାପ ମୂର୍ତ୍ତି। ମନ୍ଦିରର ଦ୍ୱାର ନାହିଁ କି ଠାକୁର ନାହାନ୍ତି । ପୂଜା ଉପାସନା ନିଷିଦ୍ଧ। ଏହି ମନ୍ଦିର ମଧ୍ୟଯୁଗୀୟ ତନ୍ତ୍ରପୂଜାର ସଙ୍କେତ ବହନ କରେ ବୋଲି ଅନେକେ ମତ ଦିଅନ୍ତି। ମନ୍ଦିରର ନିର୍ମାଣ ସମୟ ନିରୂପଣ ନେଇ ଭିନ୍ନ ଭିନ୍ନ ମତ ରହିଛି। ତେବେ ଏକାଧିକ ଜନଶ୍ରୁତି ଏହାକୁ ଅଧିକ ରହସ୍ୟମୟ କରିଛି।
ସୁବର୍ଣ୍ଣପୁର କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଅବସ୍ଥିତ ଏହି ମନ୍ଦିର ନିର୍ମାଣ ପଛରେ ରହିଛି ଏକ ପ୍ରେମ କାହାଣୀ। ମଧ୍ୟଯୁଗୀୟ କବି ପ୍ରତାପ ରାୟ ତାଙ୍କ ଶଶିସେଣା କାବ୍ୟରେ ସେହି ପ୍ରେମ କାହାଣୀକୁ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି। ନିମୁହିଁ ମନ୍ଦିରକୁ ନେଇ ରହିଥିବା ଜନଶ୍ରୁତି ଏହି କାହାଣୀ ସହିତ ଯୋଡି ହୋଇଯାଇଛି। କଥିତ କାବ୍ୟର କାହାଣୀ ଏପରି..। ଏକଦା ଆନନ୍ଦସିଦ୍ଧ ଗୁରୁଙ୍କ ଆଶ୍ରମରେ ବିଦ୍ୟା ଶିକ୍ଷା କରୁଥିବା ଅମରାବତୀ ରାଜା ବିକ୍ରମ କେଶରୀଙ୍କ ଝିଅ ରାଜକୁମାରୀ ଶଶିସେଣା ଓ ମନ୍ତ୍ରୀ ଉତ୍ତରସେନଙ୍କ ପୁଅ ଅହିମାଣିକ୍ୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟେ ବିବାହ କରିଥିଲେ। ତେବେ ରାଜାଙ୍କ ଦଣ୍ଡ ଭୟରେ ସେମାନେ ଲୁଚି ପଳାଇ ଆସିଥିଲେ ଅମରାବତୀରୁ କାମନ୍ତପୁର(ଏବେକାର ସୁବର୍ଣ୍ଣପୁର)କୁ। ମନ୍ଦିରରେ ପୂଜା ସମୟରେ କାମନ୍ତପୁରର ତନ୍ତ୍ର ସାଧିକା ଜ୍ଞାନଦେଈ ମାଲୁଣୀ ଆକୃଷ୍ଟ ହୋଇଥିଲେ ସେଦିନ ଅହିମାଣିକ୍ୟକୁ ଦେଖି। ଅହିମାଣିକ୍ୟଙ୍କ ରୂପ ଯୌବନରେ ନିଜର କାମ ବାସନାକୁ ଚରିତାର୍ଥ କରିବା ପାଇଁ ସେ ତନ୍ତ୍ରର ପ୍ରୟୋଗରେ ଫୁଲ ଶୁଙ୍ଘାଇ ବଶ କରି ନେଇଥିଲେ ମନ୍ତ୍ରୀ ପୁତ୍ରଙ୍କୁ। ତନ୍ତ୍ର ସାଧନା ବଳରେ ସେ ଦିନରେ ମେଣ୍ଢା ଓ ରାତିରେ ଭେଣ୍ଡା କରି ବଶ କରି ରଖିଥିଲେ ଅହିମାଣିକ୍ୟଙ୍କୁ। ନିଖୋଜ ଅହିମାଣିକ୍ୟକୁ ଖୋଜି ନ ପାଇ ରାଜକୁମାରୀ ଶଶିସେଣା ପ୍ରାର୍ଥନା କରିଥିଲେ ମା ଭଗବତୀଙ୍କୁ। ଶେଷରେ ତାନ୍ତ୍ରିକ ଜ୍ଞାନଦେଇ ମାଲୁଣୀଙ୍କ କବଳରୁ ମୁକ୍ତ ହୋଇଥିଲେ ଅହିମାଣିକ୍ୟ। ପ୍ରେମର ସ୍ମାରକୀ ଭାବେ ତିଆରି ହୋଇଛି ଏହି ଶଶିସେଣା ମନ୍ଦିର ବା ନିମୁହିଁ ମନ୍ଦିର। ପ୍ରେମ ସତ୍ୟ, ସୁନ୍ଦର, ଶାଶ୍ୱତ ଓ ଚିରନ୍ତନ। ପବିତ୍ର ପ୍ରେମର କିମ୍ବଦନ୍ତୀ ବହନ କରେ ନିମୁହିଁ ମନ୍ଦିର। ଭାଲେଣ୍ଟାଇନ୍ସ ଡେ(ପ୍ରେମ ଦିବସ)ରେ ଏହି ମନ୍ଦିରରେ ସୁଖ ସମୃଦ୍ଧି କାମନା କରି ପୁଷ୍ପ ଅର୍ପଣ କରିଥାନ୍ତି ବହୁ ଦମ୍ପତି।