ଚିଲିକାରୁ ବାହୁଡ଼ିଲେ ବିଦେଶାଗତ ପକ୍ଷୀ

ବାଲୁଗଁ। , ୨୯।୨ (ଡି.ଏନ.ଏ.): ଶୀତର ପ୍ରକୋପ କମି ଆସିବାରୁ ଚିଲିକାରୁ ବିଦେଶାଗତ ପକ୍ଷୀ ଏବେ ଘର ମୁହଁ। ହେବାରେ ଲାଗିଛନ୍ତି। ପ୍ରତ୍ୟାବର୍ତ୍ତନ ପୂର୍ବରୁ ଚିଲିକା ମଧ୍ୟସ୍ଥ ନଳବଣ ଆକାଶରେ ରଙ୍ଗବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀ ଏକତ୍ରିତ ହୋଇ ସ୍ବଦେଶକୁ ଫେରିବା ଆରମ୍ଭ କରିଛନ୍ତି।
୨୦୧୯ ନଭେମ୍ବର ପହିଲାରୁ ଶୀତ ପଡ଼ିବା ମାତ୍ରେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଥିଲା। ଖାଦ୍ୟ ଓ ନିରାପଦ ବାସସ୍ଥାନ ଅନ୍ବେଷଣରେ ବିଭିନ୍ନ ପ୍ରଜାତିର ପକ୍ଷୀ ସବୁ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକାକୁ ଆସିଥାଆନ୍ତି। ଏଥିସହ ଅଭୟାରଣ୍ୟ ନଳବଣକୁ ପକ୍ଷୀମାନେ ନିରାପଦ ବାସସ୍ଥାନ ରୂପେ ଗ୍ରହଣ କରି ନେବା ସହ ଏଠାରେ ୩ ମାସ ରହଣିକାଳ ମଧ୍ୟରେ ପକ୍ଷୀମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାଆନ୍ତି। ପୁନର୍ବାର ଫେବୃୟାରୀ ମଧ୍ୟ ଭାଗରେ ଧରାପୃଷ୍ଠକୁ ଗ୍ରୀଷ୍ମ ଛୁଇଁବା ମାତ୍ରେ ପକ୍ଷୀ ସବୁ ଶାବକ ଛୁଆଙ୍କ ସହ ନିଜ ନିଜର ଭିଟାମାଟିକୁ ଫେରିବା ଆରମ୍ଭ କରିଥାଆନ୍ତି। ଚଳିତବର୍ଷ ଚିଲିକାରେ ମୋଟ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ସମାଗମ ହୋଇଥିଲା। ସେମାନଙ୍କ ମଧ୍ୟରୁ ୟୁରାସିଆନ୍‌ ୟୁଜିଅନ୍‌, ପିଣ୍ଟେଲ୍‌, ଗଡ଼ୱିଟ୍‌, ସୋଭଲର, ଗଡ଼ୱାଲ୍‌ ଆଦି ପ୍ରଜାତି ସର୍ବାଧିକ ଥିଲେ। ତାତି ବଢିବା ସଙ୍ଗେ ସଙ୍ଗେ ଗତ ଏକ ସପ୍ତାହ ମଧ୍ୟରେ ଚିଲିକାରୁ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ ପର୍ଯ୍ୟାୟକ୍ରମେ ସ୍ବଦେଶକୁ ଫେରିଯାଇଥିବା ବାଲୁଗଁ। ବନ୍ୟପ୍ରାଣୀ ବିଭାଗ ଡ଼ିଏଫ୍‌ଓ ଆଲୋକ ରଞ୍ଜନ ହୋତା ସୂଚନା ଦେଇଛନ୍ତି।

Share