ଚିଲିକାରେ ମାଲେସିଆ ଜାହାଜ ଅଟକିବା ଘଟଣା: ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଜଙ୍ଗଲ ବିଭାଗର ଭିନ୍ନ ମନ୍ତବ୍ୟ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ପଣ୍ୟବାହୀ ଜାହାଜ ‘ଟଗ୍‌ ଜିନ୍‌ ହୱା ୩୨’ ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା ମୁହାଣର ରାଜହଂସ ଓ ଖିରିସାହି ଗାଁ ନିକଟ ବଙ୍ଗୋପସାଗର ଉପକୂଳରେ ୧୧ଦିନ ହେବ ଅଟକି ରହିଛି। ଜାହାଜରୁ ତେଲ ବାହାର ନ କଲେ ଚିଲିକାର ଜୈବ ବିବିଧତା ପ୍ରତି ବଡ଼ ବିପଦ ରହିଥିବା ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଚିଲିକା ପ୍ରତି ବିପଦ ନ ଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କହିଛନ୍ତି। ଗୋଟିଏ ବିଭାଗର ଦୁଇ ପ୍ରକାର ମନ୍ତବ୍ୟକୁ ନେଇ ବର୍ତ୍ତମାନ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।

ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର କହିଛନ୍ତି, ଅଚଳ ବିଦେଶି ଜାହାଜଟି ବିପଦ ବଢ଼ାଉଛି। ସମୟ ଗଡ଼ିବା ସହିତ ଭୟ ବଢୁଛି। କାରଣ ଯାନ୍ତ୍ରିକ ତ୍ରୁଟି ଯୋଗୁ ଜାହାଜଟି ଅଟକି ରହିଥିବାବେଳେ ଏଥିରେ ଥିବା ୩୦ ହଜାର ଲିଟର ତେଲ ହିଁ ଚିନ୍ତାର କାରଣ ପାଲଟିଛି। ଉକ୍ତ ପଣ୍ୟବାହୀ ଜାହାଜରୁ ତେଲ ବାହାର ନ କଲେ ଚିଲିକାର ଜୈବ ବିବିଧତା ପ୍ରତି ବଡ଼ ବିପଦ ରହିଛି। ଜାହାଜଟିରୁ କିଭଳି ତେଲ କଢ଼ାଯିବ ସେନେଇ ସମ୍ପୃକ୍ତ କମ୍ପାନୀ ସହ ସେ କଥା ହୋଇଛନ୍ତି। ଏପରିକି ଶୀଘ୍ର ଏହାକୁ ସ୍ଥାନାନ୍ତର କରାଯିବ ବୋଲି ସଚିବ ଆଶ୍ୱାସନା ଦେଇଛନ୍ତି। ଅନ୍ୟପକ୍ଷରେ ସିଡିଏ କର୍ତ୍ତୃପକ୍ଷ ଭିନ୍ନ ମତ ଦେଇଛନ୍ତି। ସିଡିଏର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ଜାହାଜରୁ ତେଲ ଲିକ୍‌ ସମ୍ଭାବନା କମ୍‌ ରହିଛି। ଏହା ଉପରେ ପୁରୀ ଜିଲାପାଳ ନଜର ରଖିଛନ୍ତି। ଏଥିସହିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁସାରେ କାମ ହେଉଛି ବୋଲି ସିଡିଏ କର୍ତ୍ତୃପକ୍ଷ କହିଛନ୍ତି। ଏପରିସ୍ଥଳେ ପ୍ରକୃତ ସ୍ଥିତିକୁ ନେଇ କିଛି ସ୍ପଷ୍ଟ ହେଉନାହିଁ। ଏହା ଚିଲିକା ପ୍ରତି ବିପଦ ସୃଷ୍ଟି ହେବ ନା ନାହିଁ ତାହା ଜଣାପଡ଼ୁନାହିଁ। ସେପଟେ ପରିବେଶବିତ୍‌ମାନେ ମଧ୍ୟ ଚିଲିକାର ଜୈବ ବିବିଧତା ପ୍ରତି ବିପଦ ଥିବା ମତପ୍ରକାଶ କରୁଛନ୍ତି। ସୂଚନାଯୋଗ୍ୟ, ଗତ ୭ ତାରିଖରୁ ଅଟକିଥିବା ପଣ୍ୟବାହୀ ଜାହାଜଟିରେ ୩୦ ହଜାର ଲିଟର ଡିଜେଲ ସହ ୧ହଜାର ଲିଟର ଲ୍ୟୁବ୍‌ ଅଏଲ ଓ ୨୦୦ ଲିଟର ହାଇଡ୍ରୋଲିକ୍‌ ଅଏଲ ମହଜୁଦ ରହିଛି।