ଚିଲିକାରେ ୪ ନୂଆ ମୁହାଣ : ବଢ଼ିଛି ଲବଣ ମାତ୍ରା

ଭୁବନେଶ୍ୱର,୧୩।୫(ବ୍ୟୁରୋ)- ବାତ୍ୟା ‘ଫନୀ’ ପ୍ରଭାବରେ ଚିଲିକାରେ ୪ ନୂଆ ମୁହାଣ ସୃଷ୍ଟି ହୋଇଛି। ପୂର୍ବରୁ ଥିବା ଦୁଇଟି ମୁହାଣ ମଝିରେ ଆଉ ତିନୋଟି ଏବଂ ଉତ୍ତରପଟକୁ ଆଉ ଗୋଟିଏ ମୁହାଣ ଖୋଲିଛି। ନୂଆ ମୁହାଣ ଖୋଲିବା ଦ୍ୱାରା ଚିଲିକାରେ ଲବଣର ମାତ୍ରା ବଢ଼ିଯାଇଛି। ତେବେ କେବଳ ପ୍ରାକୃତିକ ଉପାୟରେ ବାଲି ହୋଇ ଏହା ପୂର୍ବ ଅବସ୍ଥାକୁ ଆସିବ ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଜୈବ ବିବିଧତାରେ ଅସନ୍ତୁଳନ ଦେଖାଯାଇଛି। ଅତି ସ୍ପର୍ଶକାତର ଜଳଚର ଜୀବମାନେ ବାତ୍ୟା ଓ ଜୁଆର ପ୍ରଖରତାରେ ପ୍ରଭାବିତ ହୋଇପାରିଥାଆନ୍ତି। ତେଣୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଖୁବ୍‌ଶୀଘ୍ର ଏହା ଅନୁଧ୍ୟାନ କରିବେ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେପଟେ ପୁରୀରେ ଉପୁଡ଼ି ଓ ଭାଙ୍ଗିପଡ଼ିଥିବା ଗଛ କାଟିବା ପାଇଁ ୯୦ ଦଳ ନିୟୋଜିତ ହୋଇଥିବା ବେଳେ ବ୍ରହ୍ମଗିରି-ସାତପଡ଼ା ଅଞ୍ଚଳରେ ୨୦ ଦଳ ନିୟୋଜିତ ଅଛନ୍ତି। ପୁରୀ ଜିଲା ପ୍ରଶାସନ ନିର୍ଦ୍ଦେଶରେ ଓଡ଼ିଶା ବନ ନିଗମ ପକ୍ଷରୁ ପୁରୀ ସହର, ନିକଟବର୍ତ୍ତୀ ଅଞ୍ଚଳ ଏବଂ ନିମାପଡ଼ା ଅଞ୍ଚଳ ପାଇଁ ୬୦ ଦଳକୁ ମୁତୟନ କରାଯାଇଛି। ସେହିପରି ୧୨୦ ଗଛକଟାଳି ଦଳ ଭୁବନେଶ୍ୱରର ବିଭିନ୍ନ ୟୁନିଟ୍‌ ଅଞ୍ଚଳ, ସଚିବାଳୟ ଅଞ୍ଚଳ, ଆର୍‌ବିଆଇ କଲୋନୀ, ବିଜୁ ପଟ୍ଟନାୟକ ପାର୍କ, ବୁଦ୍ଧ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ମଧୁସୂଦନ ପାର୍କ ଆଦି ଅଞ୍ଚଳରେ ପଡ଼ିଥିବା ଗଛ କାଟିବା ସହ ବିଦ୍ୟୁତ୍‌ ସଂଯୋଗୀକରଣରେ ସେସୁକୁ ସହାୟତା ରହିବେ। ଏଥିସହିତ ବିଏମ୍‌ସି ଅଞ୍ଚଳରେ ମଧ୍ୟ ଗଛକଟା ଓ ଆବର୍ଜନା ସଫେଇରେ ସହଯୋଗ କରିବେ ବୋଲି ରବିବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

Share