ଚିଲିକା ଭ୍ରମଣରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼; ଡଙ୍ଗା ନ ପାଇ ନିରାଶରେ ଫେରିଲେ

ବାଲୁଗାଁ, ୩୦ା୧୨(ଡି.ଏନ.ଏ.):  ନୂତନବର୍ଷର ଆଗମନ ସଙ୍ଗେ ସଙ୍ଗେ ବିଦାୟବର୍ଷର ଶେଷ ରବିବାର ଚିଲିକା ପରିଭ୍ରମଣରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଚିଲିକା ମଧ୍ୟରେ ଥିବା ମା’ କାଳିଜାଈଙ୍କ ପୀଠ, ପକ୍ଷୀ ଅଭୟାରଣ୍ୟ ନଳବଣ ସମେତ ମା’ ନାରାୟଣୀ ପୀଠ, ବାଣପୁରସ୍ଥିତ ମା’ ଭଗବତୀ ପୀଠ, ଶାଳିଆ ଡ୍ୟାମ, ବରବରା ଜଙ୍ଗଲ ମଧ୍ୟରେ ଥିବା ମା’ ବିରିଜାଈ ପୀଠ, ତାରିଣୀ ପୀଠ ଏବଂ ଢୁ-ଢୁଆ ଜଳପ୍ରପାତ ଆଦି ପର୍ଯ୍ୟଟନସ୍ଥଳଗୁଡିକରେ ରବିବାର ଭୋରରୁ ଦିନତମାମ ପର୍ଯ୍ୟଟକଙ୍କ ଶୁଅ ଛୁଟିଥିବା ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ସ୍ଥାନରେ ବଣଭୋଜିର ଆସର ଜମିବା ସହ ପ୍ରବଳ ଭିଡ଼ ହେତୁ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ କଷ୍ଟକର ହୋଇପଡିଥିଲା। ଚଳିତବର୍ଷ ଚିଲିକା ଭ୍ରମଣରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ଆକଳନ କରାଯାଇଛି। ତେବେ ଦୂରଦୂରାନ୍ତରୁ ଆସିଥିବା ବହୁ ପର୍ଯ୍ୟଟକ ପର୍ଯ୍ୟାପ୍ତ ଡଙ୍ଗାର ଅଭାବ ହେତୁ ଚିଲିକା ଭ୍ରମଣ କରି ନ ପାରି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା। ବାଲୁଗାଁ ଚିଲିକା କୂଳରେ ଥିବା କାଳିଜାଈ ମୋଟର ବୋଟ ଆସୋସିଏଶନ୍‌, ଅନ୍ତଃର୍ଦ୍ଦେଶୀୟ ଜଳପଥ ପରିବହନ ବିଭାଗ ଏବଂ ବଡକୁଳସ୍ଥିତ ମା’ କାଳିଜାଈ ମୋଟର ଡଙ୍ଗା ମାଲିକ ସଂଘ ଓ ଓଟିଡିସି ପକ୍ଷରୁ ୩୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ପରିବହନ ନିମନ୍ତେ ଡଙ୍ଗା ନିୟୋଜିତ କରାଯାଇଛି। ରବିବାର ମାତ୍ରାଧିକ ପର୍ଯ୍ୟଟକ ହେତୁ ଡଙ୍ଗାର ଅଭାବ ଦେଖାଯାଇଥିଲା। ତେବେ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚିଲିକାରେ ଯାତ୍ରୀ ପରିବହନ ନିମନ୍ତେ ସରକାରୀ କଟକଣା ଲାଗୁ କରାଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ପରଠାରୁ ଯାତ୍ରୀ ସେବାକୁ ବନ୍ଦ କରି ଦିଆଯାଇଥିଲା। ଫଳରେ ଦୀର୍ଘ ଘଣ୍ଟା ଘଣ୍ଟା ଧରି ଅପେକ୍ଷାରତ ପର୍ଯ୍ୟଟକମାନେ ଚିଲିକା ଭ୍ରମଣ କରି ନ ପାରି ନିରାଶ ମନରେ ଫେରିଥିଲେ। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Share