Categories: ଜାତୀୟ

ଚିଲି ବାୟୁସେନା ବିମାନ ନିଖୋଜ: ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ଆଶଙ୍କା

ସାଣ୍ଟିଆଗୋ,୧୧ା୧୨: ୩୮ ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟାର୍କଟିକା ଯାଉଥିବା ଚିଲିର ଏକ ସେନା ବିମାନ ନିଖୋଜ ହୋଇଯାଇଛି। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା ସମସ୍ତ ୧୭ ଅଧିକାରୀ ଓ ବିମାନ କର୍ମଚାରୀଙ୍କ ସହ ୨୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏହାକୁ ଠାବ କରିବା ପାଇଁ ତଲାସି ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି।
ଚିଲି ବାୟୁସେନାର ହାକ୍ୟୁଲିସ୍‌ ସି-୧୩୦ ଏୟାରକ୍ରାଫ୍ଟ ସୋମବାର ଅପରାହ୍ନ ୪ଟା ୫୫ ମିନିଟରେ ପୁଣ୍ଟା ଏରେନାସ୍‌ସ୍ଥିତ ଚାବୁନ୍‌କୋ ବାୟୁସେନା ଘାଟିରୁ ଉଡ଼ାଣ କରିଥିଲା। ବିମାନଟି ୭୭୦ ମାଇଲ ଯାତ୍ରା କରି ଆଣ୍ଟାର୍କଟିକାର ସବୁଠୁ ବଡ଼ ଘାଟି ଏଡୁଆର୍ଡୋ ଫ୍ରେଇରେ ପହଞ୍ଚତ୍ବାକୁ ଲକ୍ଷ୍ୟ ରଖିଥିଲା। ହେଲେ ୪୫୦ ମାଇଲ ଅତିକ୍ରମ କରିବା ପରେ ବିମାନ ସହ ସନ୍ଧ୍ୟା ୬ଟା ୧୩ରେ କଣ୍ଟ୍ରୋଲ ରୁମ୍‌ର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ରାଡାର ବାହାରକୁ ଚାଲିଯିବା ପରେ ଏହା ନିଖୋଜ ହୋଇଯାଇଥିବା କୁହାଯାଉଛି। ବିମାନ ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ତେବେ ବିମାନର ତଲାସି କାର୍ଯ୍ୟକୁ ଜୋର୍‌ଦାର କରାଯାଇଛି। ଚିଲି ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ବିମାନରେ ବାୟୁସେନାର ୧୫ ଅଧିକାରୀ, ୩ ସେନା ଅଧିକାରୀ, ଦୁଇଜଣ ନିର୍ମାଣ କମ୍ପାନୀର ଯାତ୍ରୀ ଓ ଚିଲି ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ ଥିଲେ। ଯାତ୍ରୀଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଉଛି। ବିମାନରେ ଏମର୍ଜେନ୍ସି ପୋଜିଶନିଂ ସିଷ୍ଟମ୍‌ ଥିଲେ ମଧ୍ୟ ମଙ୍ଗଳବାର ଭୋର ସମୟରେ ତଲାସି ବେଳେ ଏହା କାର୍ଯ୍ୟ କରୁ ନ ଥିଲା ବୋଲି ଫୋର୍ଥ ଏୟାର ବ୍ରିଗେଡିୟର୍‌ କମାଣ୍ଡର ଏଡୁଆର୍ଡୋ ମୋସ୍କ୍ବେଇରା କହିଛନ୍ତି। ଚିଲି ରାଷ୍ଟ୍ରପତି ସେବାସ୍ତିଆନ୍‌ ପିନେରା ଏଡୁଆର୍ଡୋ ଫ୍ରେଇ ମୋଣ୍ଟାଲ୍‌ଭା ଯାଇଛନ୍ତି।

Share