Categories: ଗଞ୍ଜାମ

ଚିହ୍ନଟ ୪ଗାଁର ବିସ୍ଥାପିତଙ୍କ ସହ ଆଲୋଚନା

ଦିଗପହଣ୍ଡି,୮ା୨(ଡି.ଏନ୍‌.ଏ.)-ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଛେଳିଗଡ଼ ଗ୍ରାମ ନିକଟରେ ଏକ ବୃହତ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୧୯୯୯ ମସିହାରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ୨୦୦୪ରେ ଏହି ପ୍ରକଳ୍ପ ସ୍ବୀକୃତି ପାଇବା ପରେ ସ୍ବତନ୍ତ୍ର ଡିପିଆର ପ୍ରସ୍ତୁତ କରାଯାଇଥିଲା। ପ୍ରକଳ୍ପ ପାଇଁ ୫୭୪ ହେକ୍ଟର ଜମି ଆବଶ୍ୟକ ଥିବାବେଳେ ସେଥିରୁ ୧୧୭ ହେକ୍ଟର ଜମି ବନ ବିଭାଗର, ୩୧୦ ହେକ୍ଟର ଜମି ରାଜସ୍ବ ବିଭାଗର ଏବଂ ୧୪୭ ହେକ୍ଟର ଜମି ବେସରକାରୀ ସାଧାରଣ ଲୋକଙ୍କର ରହିଛି। ପ୍ରକଳ୍ପ ଯୋଗୁ ଛେଳିଗଡ଼ ପଞ୍ଚାୟତର କାକିଲି, ସୁଗୁବା, ବିଦ୍ୟାଧରପୁର, ତିଳିଗାଁ ଆଦିି ୪ଟି ଗାଁ ସମୂର୍ଣ୍ଣ ବୁଡିବା ଓ ପ୍ରାୟ ୧୭୮ ପରିବାର ପ୍ରଭାବିତ ହେବାକୁ ଥିବାରୁ ସେମାନଙ୍କୁ ବିସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବାବୁଲିବନ୍ଧ, ବାଲିପାଟ ଏବଂ ଗଡସାମନ୍ତରାପୁର ଗାଁ ନିକଟରେ ଚିହ୍ନଟ ଜମିରେ ଥଇଥାନ କଲୋନୀ ର୍ନିମାଣ କରାଯାଇ ନିୟମ ପ୍ରକାରେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ତେବେ ବିସ୍ଥାପିତ ହେବାକୁ ଥିବା ପରିବାର ଗାଁ ଛାଡ଼ୁ ନ ଥିବାରୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ହୋଇପାରୁନି। ଶୁକ୍ରବାର ଭୁବନେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନ ଡ଼୍ୟାମ ସୁରକ୍ଷା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ, ମୁଖ୍ୟଯନ୍ତ୍ରୀ ଇଂ.ଅଶିନୀ ମହାନ୍ତି, ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ରନାଥ ମହାରଣା, ସ୍ବତନ୍ତ୍ର ଭୂ- ଅର୍ଜନ ଅଧିକାରୀ କରୁଣାକର ରାଇକା ପ୍ରମୁଖ ବିସ୍ଥାପିତ ହେବାକୁ ଥିବା ଗ୍ରାମର ପ୍ରାୟ ୬୦ ଗ୍ରାମବାସୀଙ୍କ ସହ ଏନେଇ ବିଭିନ୍ନ ଆଲୋଚନା କରିଥିବା ସାମାଜିକ କର୍ମୀ ଲଳିତ ମୋହନ ମହାପାତ୍ର କହିଛନ୍ତି। ବୈଠକରେ ଗ୍ରାମବାସୀ ସେମାନଙ୍କ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ତେବେ ଖୁବଶୀଘ୍ର ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।