ଚୁଟିଆପଶିର ବିବାଦୀୟ ଜମିରେ ୧୪୪ ଧାରା ଜାରି କଲା ପ୍ରଶାସନ

ପାଟଣା,୨୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆପଶି ମୌଜାର ଏକ ସରକାରୀ ଜମିରେ ଉକ୍ତ ଗ୍ରାମର କୁମ୍ଭାରସାହି ପକ୍ଷରୁ ପାଲାମଣ୍ଡପ ନିର୍ମାଣ ଓ ଗୋପାଳସାହି ପକ୍ଷରୁ ଶହୀଦଙ୍କ ଷ୍ଟାଚ୍ୟୁ ନିର୍ମାଣ ଦାବିରେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ରବିବାର ଉକ୍ତ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ମାଜିଷ୍ଟ୍ରେଟ ଭାବେ ସାହାରପଡ଼ା ତହସିଲର ଅତିରିକ୍ତ ତହସିଲଦାର ସାହେବ ରାମ ବାସ୍କେ, ପାଟଣା ଥାନାଧିକାରୀ ପୁଷ୍ପାଞ୍ଜଳି ସାମନ୍ତରାୟ,ଏସ ଆଇ ବୈଲୋଚନ ସିଂ, ଏଏସ ଆଇ ଅଶୋକ କୁମାର ନାଏକ, ସୁଧାଂଶୁ ଶେଖର ଜେନା ଓ ୧ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ୧୪୪ଧାରା ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ, କୁମ୍ଭାର ସାହିର ଲୋକମାନେ ଉକ୍ତ ସ୍ଥାନରେ ଦୀର୍ଘବର୍ଷ ହେବ କୁରାଳ ପଞ୍ଚମୀ ଉତ୍ସବ ଓ ବାଦୀପାଲା ଆୟୋଜନ କରୁଥିଲା ବେଳେ  ଗ୍ରାମର ଗୋପାଳ ସାହିର ଶହୀଦ ସଞ୍ଜୟ ଦାସଙ୍କ ସ୍ମୃତି ଉଦେଶ୍ୟରେ ଆଉଏକ ଗୋଷ୍ଠୀ ଉକ୍ତ ଜମିରେ ଶହୀଦଙ୍କ ଷ୍ଟାଚ୍ୟୁ ନିର୍ମାଣ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। କୁମ୍ଭାରସାହିରେ ସରକାରଙ୍କ ଚତୁଃଦଶ ଅର୍ଥ ଆୟୋଗଙ୍କ ପ୍ରଦତ୍ତ ୨ଲକ୍ଷ ଟଙ୍କା ସରକାରୀ ଅନୁଦାନରେ ପାଲାମଣ୍ଡପ ନିର୍ମାଣ ଚାଲିଥିବାବେଳେ ଗୋପାଳ ସାହି ପକ୍ଷରୁ ଏଥିନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। କୁମ୍ଭାରସାହି ପକ୍ଷରୁ ଏଥିନେଇ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।