ଚେକିଂ ଢିଲା,ସୁଧୁରୁନି ବ୍ୟବସ୍ଥା

ବାରିପଦା ଅଫିସ, ୬ା୩- ୨ଟି ପର୍ଯ୍ୟାୟରେ ରାଜ୍ୟ ସରକାର ସଂଶୋଧିତ ମୋଟର ଯାନ ଆଇନକୁ ୬ ମାସ କୋହଳ କରିଥିଲେ। ଗତ ରବିବାର କଣ୍ଟ ପୂରିଲା ପରେ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ପକ୍ଷରୁ ଗାଡ଼ି ଚେକିଂ କରାଯାଇଥିଲା। ୩ ଦିନ ଧରି ଚେକିଂ ହେବା ପରେ ବର୍ତ୍ତମାନ ଆଉ ଚେକିଂ କରାଯାଉନାହିଁ। ରବିବାର ୫୮, ସୋମବାର ୫୨ ଓ ମଙ୍ଗଳବାର ୫୦ ଜଣ ଚାଳକଙ୍କ ନାମରେ ଜରିମାନା ଚାଲାଣ କଟାଯାଇଥିଲା। ହେଲମେଟ ନ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ଭଳି ବିଭିନ୍ନ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେବେ ୨ ଦିନ ହେଲା ଚେକିଂ କରାଯାଉ ନ ଥିବାରୁ ସମସ୍ତେ ସଡ଼କ ସୁରକ୍ଷା ନିୟମକୁ ଫୁ କରି ଉଡ଼ାଇ ଚାଲିଛନ୍ତି। ବାଇକ୍‌ ଚାଳକମାନେ ବିନା ହେଲ୍‌ମେଟରେ ଗାଡ଼ି ଚଳାଉଥିବାବେଳେ କାର ଡ୍ରାଇଭରମାନେ ନିୟମ ଉଲ୍ଲଂଘନ କରି ଚଳାଉଥିବା ଦେଖିବାକୁ ମିଳୁଛି। ସେହିଭଳି କେତେକ ବସ୍‌ ଓ ମିନି ବସ୍‌ର କାଗଜପତ୍ର ନ ଥିବା ବେଳେ ସେଗୁଡ଼ିକ ପ୍ରତିଦିନ ଚାଲୁଥିବା ମଧ୍ୟ ଜଣାପଡ଼ିଛି। ଟାଟା ମ୍ୟାଜିକ୍‌ (ବିଜୁ ଗାଁ ଗାଡ଼ି)ରେ ଲୋକମାନେ ଅସୁରକ୍ଷିତ ଭାବେ ଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ବାଘେରା ରୋଡ଼, ପାଲବଣି ଗୋଲେଇ ଆଦି ଛକରେ ଯାତ୍ରୀମାନେ ପ୍ରତିଦିନ ଅସୁରକ୍ଷିତ ଭାବେ ଗାଡ଼ିରେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ଛକରେ ଟ୍ରାଫିକ ପୋଲିସ ଥିଲେ ମଧ୍ୟ କେହି ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏ ନେଇ ଆରଟିଓ ଗୋପାଳ କୃଷ୍ଣ ଦାସ କୁହନ୍ତି ପୋଲିସ କର୍ମଚାରୀମାନେ ଆସି ନ ଥିବାରୁ ଚେକିଂ ହୋଇ ପାରି ନ ଥିଲା। ଆଗାମୀ ଦିନରେ ଚେକିଂ କଡ଼ାକଡ଼ି କରାଯିବ ବୋଲି ସେ ପ୍ରକାଶ କରିଥିଲେ।

Share