ଚେକିଂ ବେଳେ ଦୁର୍ଘଟଣା, ପୋଲିସ ଏସ୍‌ଆଇ ମୃତ

ବାରିପଦା ଅଫିସ,୧୯ା୧୧- ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ତକତପୁରଠାରେ ଯାନବାହନ ଚେକିଂ ବେଳେ ସୋମବାର ସାରେ ଦୁର୍ଘଟଣା ଘଟିଛି। ଏଥିରେ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଦୟାନିଧି ଦାସଙ୍କ ମୃତ୍ୟୁ ଘଟିଛି। ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନିକଟରେ ଯାନବାହନ ଚେକିଂ ବେଳେ ଜଣେ ବାଇକ୍‌ ଚାଳକ ଦ୍ରୁତ ଗତିରେ ଆସି ଏସ୍‌ଆଇ ଦାସଙ୍କୁ ଧକ୍କା ଦେଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ୍‌ ଚାଳକଙ୍କୁ ପୋଲିସ ଅଟକ ରଖିଛି । ବାରିପଦା ସଦର ଏସ୍‌ଡିପିଓ କେ.କେ ହରିପ୍ରସାଦ, ଟାଉନଥାନା ଅଧିକାରୀ ଅଶୋକ କୁମାର ନାୟକ ପ୍ରମୁଖ ମେଡିକାଲରେ ପହଞ୍ଚି ଦୁଃଖ ପ୍ରକାଶ କରିଛନ୍ତି। ଏସଆଇ ଦାସଙ୍କ ମୃତ୍ୟୁରେ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଦୁର୍ଘଟଣା ଘଟାଇଥିବା ବାଇକ୍‌ ଚାଳକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

Share