ଚେକ୍‌ଡ୍ୟାମ୍‌ ଅଚଳ: ୩୩୨୮ ହେକ୍ଟର ଜମିରେ ଜଳସେଚନ ପ୍ରଭାବିତ, ୧୩୪୦ ଯନ୍ତ୍ରୀ ପଦବୀ ଖାଲି

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାଜ୍ୟରେ ସମୁଦାୟ ୧୩,୪୯୬ ଆଡ଼ିବନ୍ଧ ନିର୍ମାଣ କରାଯାଇଛି। ଏଥିପାଇଁ ୩,୨୦,୯୦୪.୮୭ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହା ଦ୍ୱାରା ୧,୩୮, ୫୧୦ ହେକ୍ଟର ସେଚାଞ୍ଚଳ ସୃଷ୍ଟି ହୋଇଥିବା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି। ସେହିପରି ନିର୍ମାଣ ହୋଇଥିବା ଚେକ୍‌ଡ୍ୟାମ୍‌ ପକ୍ଷରୁ ୨୬୬ଟି ଅଚଳ ହୋଇଛି, ଏହି ଡ୍ୟାମ୍‌ରେ ପାଣି ରହୁନାହିଁ । ଏହା ଦ୍ୱାରା ୩୩୨୮ ହେକ୍ଟର ଚାଷଜମିରେ ଜଳସେଚନ ବାଧାପ୍ରାପ୍ତ ହୋଇଛି। ଭାଜପା ବିଧାୟକ ମୋହନ ମାଝିଙ୍କ ଅଣତାରକା ପ୍ରଶ୍ନ ନଂ.୨୧୧ର ଉତ୍ତର ରଖି ମନ୍ତ୍ରୀ ଦାସ ଗୁରୁବାର ଏହା କହିଛନ୍ତି। ବାଧାପ୍ରାପ୍ତ ହୋଇଥିବା ଜମି ମଧ୍ୟରେ କଳାହାଣ୍ଡି ଜିଲାର ୧୯୩୧ ଆୟକଟ୍‌ ହେକ୍ଟର, ବଲାଙ୍ଗୀରର ୪୦୬ ଆୟକଟ୍‌ ହେକ୍ଟର ଜମି ରହିଛି। ଏତଦ୍‌ ବ୍ୟତୀତ କଟକରେ ୮୭, ଗଞ୍ଜାମରେ ୬୪୦, ମାଲକାନଗିରିରେ ୧୦, ନବରଙ୍ଗପୁରରେ ୮୦, ସୁବର୍ଣ୍ଣପୁରରେ ୧୧୮ ଏବଂ ସୁନ୍ଦରଗଡ଼ରେ ୫୬ ଆୟକଟ୍‌ ହେକ୍ଟର ଜମିରେ ଜଳସେଚନ ବାଧାପ୍ରାପ୍ତ ହୋଇଛି।
ଶାସକ ସଭ୍ୟ ପ୍ରଶାନ୍ତ ବେହେରାଙ୍କ ଦ୍ୱାରା ପଚରା ଯାଇଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି ଯେ, ରାଜ୍ୟରେ ବିଭିନ୍ନ ବର୍ଗର ୧୩୪୦ ଗୋଟି ଯନ୍ତ୍ରୀ ପଦବୀ ଖାଲିପଡିଛି। ତନ୍ମଧ୍ୟରୁ ମୁଖ୍ୟଯନ୍ତ୍ରୀ(ସିଭିଲ୍‌) ୮, ମୁଖ୍ୟଯନ୍ତ୍ରୀ(ବୈଷୟିକ) ୧, ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(ସିଭିଲ୍‌) ୪୦୮, କନିଷ୍ଠଯନ୍ତ୍ରୀ(ସିଭିଲ୍‌) ୩୪୮ ଏବଂ କନିଷ୍ଠ ଯନ୍ତ୍ରୀ(ବୈଷୟିକ) ୧୧୩ଟି ପଦବୀ ଖାଲିରହିଛି। ଏହି ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତନ୍ମଧ୍ୟରୁ ଓପିଏସ୍‌ସି ଦ୍ୱାରା ୩୮୬ଟି ସହକାରୀ ଯନ୍ତ୍ରୀ ପଦବୀ ଏବଂ ୩୬୩ କନିଷ୍ଠ ଯନ୍ତ୍ରୀ ପଦବୀ ପାଇଁ ଓଏସ୍‌ଏସ୍‌ସି ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ ହୋଇଛି।

Share