ଚେକ୍‌ ଜାଲିଆତି କରି ୬.୮୨ ଲକ୍ଷ ଠକେଇ ମାମଲା: ୪ ଅଭିଯୁକ୍ତ ଗିରଫ

ବରଗଡ ଅଫିସ,୭।୧: ବରଗଡ ଜିଲା ଭଟ୍‌ଲିସ୍ଥିତ ଏସ୍‌ଡିସିସି ବ୍ୟାଙ୍କର ଜଣେ ଉପଭୋକ୍ତା ଅପରାଜିତା ମିଶ୍ରଙ୍କ ଆକାଉଣ୍ଟରୁ ଚେକ୍‌ ଜାଲିଆତି କରି ୬.୮୨ ଲକ୍ଷ ଠକେଇ ମାମଲାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ ଟାଉନ ଥାନା ଅନ୍ତର୍ଗତ ପିପିଲିପାଲି ଗ୍ରାମର ନବୀନ କୁମ୍ଭାର, ବରଗଡ ୱାର୍ଡ ନଂ-୩ ମନାବନ୍ଧ ପଡାର ମାନସ କୁମାର ମଲ୍ଲିକ, ୱାର୍ଡ ନଂ-୭ ବିଶିପଡାର ରାଜୁ ଓରଫ ଦୀପକ ମହାନନ୍ଦ ଏବଂ ଅମ୍ବାଭୋନା ଥାନା ବେନିଆପାଲିର ଦୀପକ ଭୋଇ। ସେମାନଙ୍କ ପାଖରୁ ୨ଲକ୍ଷ ୩୯ହଜାର ୫୦୦ ଟଙ୍କା, ନକଲି ଚେକ୍‌, ନୂଆ ସ୍କୁଟି ଆଦି ଜବତ ହୋଇଛି। ବରଗଡ ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସପି ପଦ୍ମିନୀ ସାହୁ ଏହି ସୂଚନା ଦେଇ ମାମଲାର ଅଧିକ ତଦନ୍ତ ଚାଲିଛି। ଗିରଫ ଅଭିଯୁକ୍ତ ମାନସ ଏସ୍‌ଡିସିସି ବ୍ୟାଙ୍କର ଜଣେ କମ୍ପ୍ୟୁଟର ଅପରେଟର ତଥା ସେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି।