ଚେତୁନାହିଁ ବିଦ୍ୟୁତ ବିଭାଗ: ଅଭିନବ ଉପାୟରେ ବିଦ୍ୟୁତ ଯୋଗାଣ

କେନ୍ଦୁଝର,୭।୬(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଭାଲୁପାଳି ସାହିରେ ବିଦ୍ୟୁତ ଖୁଣ୍ଟ ଅଭାବରୁ ଏକ କଞ୍ଚା ବାଉଁଶରେ ବତା ସାହାଯ୍ୟରେ ତାରକୁ ଟେକି ବିଦ୍ୟୁତ ଯୋଗାଇ ଦିଆଯାଇଛି।
ଉକ୍ତ ଗ୍ରାମରେ ଗତ ବର୍ଷ ମଧ୍ୟ ସମାନ ଭାବରେ ବାଉଁଶ ଲାଠି ଜରିଆରେ ବିଦ୍ୟୁତ ସଂଯୋଗ କରାଯାଇଥିଲା । ଏ ନେଇ ଅଭିଯୋଗ ପରେ ବାଉଁଶ ଉଠାଯାଇଥିଲା। ଖୁଣ୍ଟ ଦିଆଯାଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଗ୍ରାମବାସୀ କହିଛନ୍ତି। ବାତ୍ୟା ଫନୀ ପ୍ରଭାବରେ ଢଳି ପଡିଥିବା ବିଦ୍ୟୁତ ଖୁଣ୍ଟଗୁଡିକ ସଜଡ଼ାଯାଇଥିଲେ ହେଁ ତାର ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ଅସନ୍ତୋଷ ଦେଖାଦେଉଛି। ଅନେକ ସ୍ଥାନରେ ତାର ଓହଳି ପଡ଼ିଥିବାରୁ ବିପଦ ଆଶଙ୍କା କରି ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ବହୁବାର ଏହି ବିଷୟରେ ଲାଇନ ମ୍ୟାନଠାରୁ ଆରମ୍ଭ କରି ବିଦ୍ୟୁତ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କର କାମ ଅଛି କହି ଫାଙ୍କି ଦେଉଛନ୍ତିା ଧାତିକା ୟୁପି ସ୍କୁଲ ପରିସରରେ ଥିବା ୬୩ କେଭି ଟ୍ରାନ୍ସଫର୍ମରରୁ କାଦଗଡ଼ ଭାଲୁପାଳିସାହି ଗାଁକୁ ୪୪୦ ବିଶିଷ୍ଟ ଏଲ୍‌ଟି ଲାଇନ ଯାଇଛିା ତେବେ ତାରଟି ତଳକୁ ଓହଳିଥିବାରୁ ଗାଈ, ବଳଦ ଓ ମଣିଷ ଲାଗିଯିବାର ସମ୍ଭାବନା ରହିଥିଲା। ଏ ନେଇ ବିଦ୍ୟୁତ ବିଭାଗ ନ ଶୁଣିବାରୁ କଞ୍ଚା ବାଉଁଶରେ ଶୁଖିଲା ବତା ସାହାଯ୍ୟରେ ଗ୍ରାମବାସୀ ଓହଳିଥିବା ତାରକୁ ଉଚ୍ଚ ସ୍ଥାନକୁ ଟେକିଛନ୍ତି ା ବିଦ୍ୟୁତ ବିଭାଗ ବିପଦପୂର୍ଣ୍ଣ ଉକ୍ତ ସ୍ଥାନରେ ଏକ ନୂଆଁ ଖୁଣ୍ଟ ପୋତି ବିଦ୍ୟୁତ ସଂଯୋଗ କରିବାକୁ ଗ୍ରାମବାସୀ ଦାବିକରିଛନ୍ତିା