Categories: ଜାତୀୟ

ଚେତୁ ନାହାଁନ୍ତି ଜନତା ଚିନ୍ତାରେ ସରକାର

ଲୁଧିଆନା,୪।୧୧: ଉତ୍ତର ଭାରତ ଅର୍ଥାତ୍‌ ରାଜଧାନୀ ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଛି ଯେ ଲୋକେ ଘରୁ ବାହାରିବା କଷ୍ଟକର ହୋଇ ପଡିଛି। କାରଣ ଏଠି ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ପଡୋଶୀ ରାଜ୍ୟକୁ ଦାୟୀ କରିଥିବା ବେଳେ ସାଧାରଣ ଜନତା କିନ୍ତୁ ସେମାନଙ୍କ ଜିଦ୍‌ରେ ଯେମିତି ଅଟଳ ରହିଛନ୍ତି। ବିଶେଷ କରି ହରିୟାଣା ଓ ପଞ୍ଜାବରେ କୃଷକମାନେ ଅତ୍ୟଧିକ ପରିମାଣର ନଡା ଜାଳିବାରୁ ବାୟୁ ପ୍ରଦୂଷଣର ମାତ୍ରା ବଢୁଛି ବୋଲି କୁହାଯାଉଛି। ଯାହା ଫଳରେ ରବିବାର ଦିଲ୍ଲୀର ପ୍ରଦୂଷଣ ସ୍ତର ଅତି ସାଂଘାତିକ ସ୍ତରରେ ପହଞ୍ଚିଛି। ଏବେ ଏଠାରେ ଅଡ୍‌ ଇଭିନ୍‌ ନମ୍ବରର ଗାଡି ଚଳାଚଳ ଆରମ୍ଭ କରାଯାଇଥିବା ବେଳେ ସ୍କୁଲ ଗୁଡିକୁ ୫ ତାରିଖ ପର୍ଯ୍ୟନ୍ତ ଛୁଟି କରିଦିଆଯାଇଛି। ଏହାସହ ଜରୁରୀ କାମ ନ ଥିଲେ ଘରୁ ବାହାରକୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାପରେ ବି ସୋମବାର ପଞ୍ଜାବର ଅଧିକାଂଶ ସ୍ଥାନରେ ଚାଷୀ ନଡା ପୋଡୁଥିବା ଦେଖାଯାଇଛି। ଏମାନଙ୍କର ଯୁକ୍ତି ହେଲା ସରକାରଙ୍କ ତରଫରୁ ଏଥିପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଏମାନେ ନିରୁପାୟ ହୋଇ ଏହାକୁ ପୋଡି ଦେଉଛନ୍ତି। କାରଣ ନଡାର ଆଉ କୌଣସି କାମ ନ ଥିବାରୁ ଏହା ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି।

Share