Categories: ଜାତୀୟ

ଚେନ୍ନାଇରେ ଜଳସଙ୍କଟ ଉତ୍କଟ: ଇଡ୍‌ଲି ପିଠଉ କିଣିଲେ ପାଣି ମାଗଣା

ଚେନ୍ନାଇ,୧ା୭: ଚେନ୍ନାଇ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଥିବାବେଳେ ଟ୍ରିପ୍ଲିକେନ୍‌ର ଜଣେ ବ୍ୟବସାୟୀ ପାଣି ପାଇଁ ବିଚିତ୍ର ଘୋଷଣାନାମା କରିଛନ୍ତି। ବାଲଟିଏ ପାଣି ମାଗଣାରେ ନେବାକୁ ହେଲେ ଗ୍ରାହକଙ୍କୁ ୧ କିଲୋଗ୍ରାମ ଇଡ୍‌ଲି-ଦୋସା ପିଠଉ କିଣିବାକୁ ପଡିବ ବୋଲି ସେ ଦୋକାନ ବାହାରେ ଏକ ବୋର୍ଡ ଲଗାଇଛନ୍ତି। ସି.ଏନ୍‌. ପାର୍ଥସାରଥି ନାମକ ଏହି ବ୍ୟବସାୟୀ ବି.ଭି. ନାଇକର ଷ୍ଟ୍ରିଟ୍‌ରେ ପିଠଉ ବିକ୍ରି କରନ୍ତି। ଦୀର୍ଘ ୪୦ ବର୍ଷ ମଧ୍ୟରେ ଉକ୍ତ ଅଞ୍ଚଳର ଜନସାଧାରଣ ଏଭଳି ଜଳସଙ୍କଟର କେବେ ସମ୍ମୁଖୀନ ହୋଇ ନ ଥିଲେ ବୋଲି ପାର୍ଥସାରଥି କହିଛନ୍ତି। ଲୋକଙ୍କୁ ଜଳକଷ୍ଟରୁ ମୁକ୍ତି ଦେବା ଲାଗି ସେ ଏକ ଘରୋଇ ଟ୍ୟାଙ୍କର ଭଡାରେ ଆଣି ପାଣି ଯୋଗାଇ ଦେବାକୁ ମନସ୍ଥ କରିଥିଲେ। ତେବେ ମାଗଣାରେ ଜଳଦାନ କଲେ ଭିଡ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡିବ ବୋଲି କେତେକ ଗ୍ରାହକ ପରାମର୍ଶ ଦେବା ପରେ ପାର୍ଥସାରଥି ଉପରୋକ୍ତ କୌଶଳ ଆପଣାଇଥିଲେ। ବ୍ୟବସାୟ ବଢ଼ାଇବା ତାଙ୍କର ଉଦ୍ଦେଶ୍ୟ ନ ଥିଲା ବୋଲି ସେ କହିଛନ୍ତି।

Share